ଶକ୍ତିର ପ୍ରତୀକ ଦେବୀ ଦୁର୍ଗା

।। ଗୋପାଳ ମହାପାତ୍ର ।। ମନୁଷ୍ୟ ମନରେ ଦ୍ୱନ୍ଦ୍ୱ ଭରି ରହିଥାଏ । ଏହି ଦ୍ୱନ୍ଦ୍ୱ ବା ଅନ୍ତବିରୋଧ ଆଦର୍ଶ ଏବଂ ପତନର ପ୍ରେରକ ତତ୍ତ୍ୱ ଅଟେ । ଅନ୍ତବିରୋଧ ଚିନ୍ତନ ପାଇଁ ମଧ୍ୟ ଖୋରାକ ଯୋଗାଇଥାଏ । ନିର୍ଗୁଣ ଏବଂ ସଗୁଣ ଏହି ଭକ୍ତି-କାବ୍ୟର ଧାରା ଅଟନ୍ତି । ଏଥିପାଇଁ ଆମର କଥା ଏବଂ କାର୍ଯ୍ୟରେ ପାର୍ଥକ୍ୟ ଦେଖାଦେଇଥାଏ । ଆମ ରୁଷି ମୁନିମାନେ ସେମାନଙ୍କ ଅନ୍ତଜ୍ଞାନରେ ଏ କଥାକୁ ଜାଣିଥିଲେ । ଏହି ଭେଦକୁ ବିଶ୍ୱର ଅନ୍ୟ ଦେଶର ସଭ୍ୟତା ମଧ୍ୟ ଏବେ ଜାଣିଲାଣି ଏବଂ ସେମାନେ ଭୌତିକ ପ୍ରଗତି ସହିତ ସାମାଜିକ ଓ ଆର୍ଥିକ ସମତା କଥା କହିବା ଆରମ୍ଭ କଲେଣି । ଏହି ଦ୍ୱନ୍ଦ୍ୱ ବା ଅନ୍ତଃବିରୋଧ ଦେବୀ ଦୁର୍ଗାଙ୍କର ନଅଟି ରୂପ ଅର୍ଥାତ ଆଦ୍ୟା ଶକ୍ତି ଅଟନ୍ତି । ଦୈବୀ ଶକ୍ତି ସେମାନଙ୍କୁ କୁହାଯାଏ ଯିଏ ମନୁଷ୍ୟର ଅନୁକୂଳ ଅର୍ଥାତ ଫଳଦାୟୀ ଏବଂ ଆସୁରିକ ଶକ୍ତି ସେମାନଙ୍କୁ କୁହାଯାଏ ଯିଏ ମନୁଷ୍ୟଣ ପ୍ରତିକୂଳ ବା ମନୁଷ୍ୟକୁ ହାନୀ ପହଞ୍ଚାଇଥାଏ । ନବରାତ୍ରୀର ଆୟୋଜନ ଦୁଇଟି ଋତୁର ପରିବର୍ତ୍ତନର ସମୟରେ ହୋଇଥାଏ । ଜୀବନରେ ପରିବର୍ତ୍ତନର ସ୍ୱୀକାର୍ଯ୍ୟର ଜ୍ୟୋତକ ହେଉଛି ନବରାତ୍ର । ଆଶ୍ୱିନ ମାସର ଶୁକ୍ଳପକ୍ଷରେ ନବରାତ୍ରର ଆୟୋଜନ କରାଯାଇଥାଏ । ଶୁକ୍ଳପକ୍ଷ ହେଉଛି ଅନ୍ଧକାରକୁ ବା ଅଜ୍ଞାନକୁ ଦୂର କରିବାର ପ୍ରତୀକ । ଅନ୍ୟପକ୍ଷରେ କୃଷ୍ଣପକ୍ଷ ଅନ୍ଧକାର ବା ଅଜ୍ଞାନର ବୃଦ୍ଧିର ପ୍ରତୀକ ଅଟେ । ପ୍ରତିମାସରେ ଉତ୍ସର୍ଜତ ଏବଂ ବିଲୋପିତ ହେଉଥିବା ଏହି ଦୁଇପକ୍ଷ ଜୀବନର ସକାରାତ୍ମକ ଏବଂ ସକାରାତ୍ମକ ପକ୍ଷର ପ୍ରବୃତ୍ତି ଅଟନ୍ତି । ପ୍ରକୃତିଠାରୁ ଆରମ୍ଭ କରି ଜୀବନରେ ସବୁ ଜାଗାରେ ଅନ୍ତଃବିରୋଧ ବ୍ୟାପ୍ତ ହୋଇ ରହିଛି । ଏ ସବୁ ବିରୋଧଭାଷୀ ପକ୍ଷ ମଧ୍ୟରେ ସାମଞ୍ଜସ୍ୟ ଆଣିବାର କାର୍ଯ୍ୟ ଦୁର୍ଗା ହିଁ କରିଥାନ୍ତି ।

ମାର୍କଣ୍ଡେୟ ପୁରାଣରେ ପ୍ରକାଶ ଏବଂ ଶକ୍ତି ବାବଦରେ କୁହାଯାଇଛି ଯେ “ଦେବତାମାନେ ଏକ ପ୍ରକାଶ ପୁଞ୍ଜ ଦେଖିଥିଲେ ଯାହା ଏକ ବିଶାଳ ପର୍ବତ ସମାନ ପ୍ରଦୀପ୍ତ ଥିଲା । ସମ୍ପୂର୍ଣ୍ଣ ଆକାଶକୁ ଏହି ପ୍ରକାଶ ବ୍ୟାପିଯାଇଥିଲା । ପରେ ଏହି ପ୍ରକାଶ ପୁଞ୍ଜ ଏକ ପିଣ୍ଡରେ ପରିବର୍ତ୍ତିତ ହୋଇଥିଲା ଯାହା ଏକ ଶରୀର ରୂପରେ ଅସ୍ତିତ୍ୱକୁ ଆସିଥିଲା । କାଳାନ୍ତରରେ ଏହା ଏକ ସ୍ତ୍ରୀ ବା ନାରୀର ଶରୀର ଭାବେ ଆଶ୍ଚର୍ଯ୍ୟଜନକ ଢଙ୍ଗରେ ପରିବର୍ତ୍ତିତ ହୋଇଥିଲା । ଏହି ନାରୀ ଶରୀରରୁ ବାହାରୁଥିବା ଜ୍ୟୋତି ବା କିରଣ ସ୍ୱର୍ଗ, ମର୍ତ୍ତ୍ୟ ଏବଂ ପାତାଳ ତିନିପୁରକୁ ଆଲୋକିତ କରିଥିଲା । ପ୍ରକାଶ ଏବଂ ଶକ୍ତିର ଏହି ସମନ୍ୱିତ ରୂପକୁ ଆଦି ଶକ୍ତି ବା ଆଦି ମାତା କୁହାଗଲା ।” ଛନ୍ଦୋଗ୍ୟ ଉପନିଷଦରେ କୁହାଯାଇଛି ଯେ “ଅବ୍ୟକ୍ତରୁ ଉତ୍ପନ୍ନ ତିନିଟି ତତ୍ତ୍ୱ ଅଗ୍ନି, ଜଳ ଏବଂ ପୃଥିବୀର ତିନି ରଙ୍ଗ ସବୁୂ ବସ୍ତୁରେ ଅନ୍ତର୍ନିହିତ ହୋଇ ରହିଛି । ଏଣୁ ଏହା ସୃଷ୍ଟି ବା ଜୀବନର ମୂଳତତ୍ତ୍ୱ ଅଟେ । ପ୍ରକୃତିର ଏହି ଶକ୍ତି ଜୀବନର ଜନ୍ମ ଏବଂ ଏହାର ଗତିର ମୁଖ୍ୟ ଆଧାର ଅଟେ ।” ଏହି ଅବଧାରଣାରେ ଯେଉଁ ଦେବୀ ପ୍ରକଟ ହୋଇଥାନ୍ତି ସେହି ଦେବୀ ମହିଷାସୁର ମର୍ଦିନୀ ଅଟନ୍ତି । ପୁରାଣରୂପୀ ଏହି ଅବସ୍ଥା ସତ୍ତ୍ୱ, ରଜ ଏବଂ ତମୋଗୁଣରେ ରୂପାନ୍ତରିତ ହୋଇ ସୃଷ୍ଟିକୁ ସନ୍ତୁଳିତ ରଖିବାର କାର୍ଯ୍ୟ କରିଥାଏ । ଏଇଥିପାଇଁ ଦେବୀଙ୍କୁ ଆଦ୍ୟା ବା ଅସାଧାରଣ ଶକ୍ତି ବୋଲି କୁହାଯାଏ ।

ବିଶ୍ୱର ଏହି ଆଦ୍ୟା ବା ଜନନୀଙ୍କ ବିନା ଶିବ ମଧ୍ୟ ‘ଶବ’ ମାତ୍ର । ଯେତେବେଳେ ବ୍ରହ୍ମାଣ୍ଡରେ ଶକ୍ତିର ବିଘଟନ ଘଟିଥାଏ ସେତେବେଳେ ଆସୁରୀ ଶକ୍ତି ପ୍ରକଟିତ ହୋଇଥାଏ । ଶକ୍ତି ଯେତେବେଳେ ଅବ୍ୟବସ୍ଥିତ ହୋଇଯାଏ ସେତେବେଳେ ଧ୍ୱଂସାତ୍ମକ ସ୍ଥିତି ଉପୁଜିଥାଏ । ଏବେ ବିଧ୍ୱଂସକାରୀ ବୈଜ୍ଞାନିକ ପ୍ରୟୋଗ କାରଣରୁ ବିଶ୍ୱରେ ଶକ୍ତିର ଧ୍ୱଂସାତ୍ମକ ରୂପ ଦେଖାଯାଉଛି । ଅରାଜକତା ଦେଖାଯାଉଛି ଓ ପରିବେଶର ନକାରାତ୍ମକ ସ୍ଥିତି ସୃଷ୍ଟି ଏପରିକି ଆସୁରିକ ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ଏହି ଶକ୍ତିକୁ ଅକ୍ଷୁର୍ଣ୍ଣ ରଖିବାର କାର୍ଯ୍ୟ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର କରିଥାନ୍ତି । ଦେବୀ ମହାତ୍ମରେ କୁହାଯାଇଛି ଯେ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଯେବେ ଯୁଦ୍ଧ ହୋଇଥିଲା ସେଇ ଯୁଦ୍ଧ ଶହେଦିନ ପର୍ଯ୍ୟନ୍ତ ଚାଲିଥିଲା । ଏହି ଯୁଦ୍ଧ ସମୟରେ ରାକ୍ଷସ ମହିଷ ଅସୁରମାନଙ୍କର ରାଜା ଥିଲା ଏବଂ ଦେବତାମାନଙ୍କର ଅଧିପତି ଥିଲେ ଇନ୍ଦ୍ର । ଯୁଦ୍ଧରେ ଅସୁରମାନେ ଦେବତାମାନଙ୍କୁ ପରାସ୍ତ କରିଥିଲେ । ଫଳରେ ରାକ୍ଷସ ମହିଷ ଦେବତାମାନଙ୍କର ରାଜା ପାଲଟିଯାଇଥିଲା । ପରାଜିତ ଦେବତାମାନେ ପ୍ରଜାପତି ବ୍ରହ୍ମାଙ୍କ ନେତୃତ୍ୱରେ ବିଷ୍ଣୁ ଓ ଶିବଙ୍କ ପାଖକୁ ଯାଇଥିଲେ ଓ ପରାଜୟର କଥା ଶୁଣାଇଥିଲେ । ଏ କଥା ଶୁଣି ବିଷ୍ଣୁ ଓ ଶିବ କ୍ରୋଧିତ ହୋଇଥିଲେ । ବିଷ୍ଣୁ ତାଙ୍କ ମୁହଁରୁ ଏକ ଅକ୍ଷୟ ଶକ୍ତିର ଉତ୍ପନ୍ନ କରିଥିଲେ । ବ୍ରହ୍ମା ଏବଂ ଶିବ ମଧ୍ୟ ଅକ୍ଷୟ ଶକ୍ତିର ଉତ୍ପନ୍ନ କରାଇଥିଲେ । ଇନ୍ଦ୍ର ଓ ଅନ୍ୟ ଦେବତାମାନେ ମଧ୍ୟ ସେମାନଙ୍କ ଶକ୍ତି ପ୍ରକଟ କରାଇଥିଲେ । ଦେବତାମାନଙ୍କର ଏହି ଶକ୍ତି ପ୍ରବାହରେ ନକାରାତ୍ମକ ଶକ୍ତି ସକାରାତ୍ମକ ଶକ୍ତିରେ ପରିବର୍ତ୍ତିତ ହୋଇଥିଲା ଓ ଦେବତାମାନଙ୍କର ଶକ୍ତି ଏକ ପର୍ବତ ଆକାର ଧାରଣ କରିଥିଲା । ଏଥିରୁ କାତ୍ୟାୟନୀ ପ୍ରକଟ ହୋଇଥିଲେ । କାତ୍ୟାୟନୀ ବା ଦୁର୍ଗାଙ୍କର ଏହି ରୂପକୁ ମହିଷାସୁର ମର୍ଦିନୀ ବୋଲି କୁହାଗଲା ।

ରାକ୍ଷସ ମହିଷ ଶକ୍ତିଶାଳୀ ଥିଲା । କିନ୍ତୁ ତା’ର ଆଚରଣ କ୍ରୁର ଥିଲା ଓ ତାହା ବ୍ରହ୍ମାଣ୍ଡର ଆଧ୍ୟାତ୍ମିକ ଆଧାରର ଅନୁକୂଳ ନଥିଲା । ଏହି କାରଣରୁ କାତ୍ୟାୟନୀ ବା ଦୁର୍ଗା ମହିଷକୁ ପଦଦଳିତ କରି ତାର ଅହଂକାରକୁ ଚୁନା କରି ଦେଇଥିଲେ । ମହିଷର ପ୍ରାଣ ନେଇଥିବା କାରଣରୁ ଦୁର୍ଗାଙ୍କୁ ମହିଷାସୁର ମର୍ଦିନୀ କୁହାଯାଏ । ଏଇଥିପାଇଁ ତାଙ୍କୁ ବ୍ରହ୍ମାଣ୍ଡର ଜନନୀ ବୋଲି କୁହାଯାଏ ଯାହା ପୃଥିବୀର ପ୍ରତୀକ । ବ୍ରହ୍ମାଣ୍ଡର ଅସ୍ତିତ୍ୱର ଏହା ହେଉଛି ବୀଜ । ପ୍ରକୃତିର ଏହି ରୂପକୁ ମାନବୀକରଣ କରାଯାଇ ରକ୍‌ବେଦରେ କୁହାଯାଇଛି ଯେ “ଜ୍ଞାନର ସବୁ ବିଷୟ ଏବଂ କ୍ରିୟାକଳାପ ଅନ୍ତତଃ ଦେବୀଙ୍କର ରୂପ ଅଟେ ।” ସୃଷ୍ଟିର ସର୍ଜନାଠାରୁ ଆରମ୍ଭ କରି ଏଯାବତ୍ ସମୟ ପର୍ଯ୍ୟନ୍ତ ନାରୀଙ୍କୁ ମା’ର ରୂପ ଦିଆଯାଉଛି । ନାରୀ ତାଙ୍କର ଶକ୍ତିରେ ମନୁଷ୍ୟକୁ ମନୁଷ୍ୟତ୍ୱ ପ୍ରଦାନ କରିଥାନ୍ତି । ଏଥିରୁ ସ୍ପଷ୍ଟ ଯେ ଦୁର୍ଗା ହେଉଛନ୍ତି ମୂଳ ପ୍ରକୃତିର ସେହି ରୂପ ଯେଉଁଠାରେ ସମସ୍ତ ଶକ୍ତି ମମାହିତ ହୋଇ ରହିଛି ।

ରାମଚନ୍ଦ୍ରପୁର, ରଣପୁର, ମୋ-୯୩୪୮୪୮୫୦୯୪

Leave a Reply

Your email address will not be published. Required fields are marked *

Back to top button