ଓଡ଼ିଶା ଉପରେ ୧.୨୦ ଲକ୍ଷ କୋଟି ଟଙ୍କାର ବୋଝ

ଭୁବନେଶ୍ଵର : ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ଋଣ ପରିମାଣ ୭୨,୪୮୫.୦୬ କୋଟି ଟଙ୍କା ଥିଲେ ମଧ୍ୟ ରାଜ୍ୟର ଆର୍ଥିକ ବୋଝ ୧ଲକ୍ଷ ୨୦ହଜାର ୧୩୯କୋଟି ଟଙ୍କା। ୨୦୨୦-୨୧ରେ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ (ଜିଏସଡିପି)ର ପରିମାଣ ୬ ଲକ୍ଷ ୩୮ ହଜାର ୩୪୨ କୋଟି ଟଙ୍କା ଥିଲା ବୋଲି ସିଏଜି ଦର୍ଶାଇଛନ୍ତି।

ଶୁକ୍ରବାର ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ମସିହାର ସାମଗ୍ରିକ ଆର୍ଥିକ ସ୍ଥିତିର ବାର୍ଷିକ ସିଏଜି ରିପୋର୍ଟକୁ ଉପସ୍ଥାପନ କରିଥିଲେ। ଏଥିରେ ଦର୍ଶାଯାଇଛି ରାଜ୍ୟସରକାର ବିଧାନସଭା ଦ୍ୱାରା ସ୍ଥିରୀକୃତ ସମୟସୀମା ପର୍ଯ୍ୟନ୍ତ ରାଜ୍ୟର ସଂଗଠିତ ପାଣ୍ଠିର ସୁରକ୍ଷା ଦେଇ ଋଣ ନେଇପାରିବେ। ଓଡ଼ିଶା ଏଫଆରବିଏମ୍ ଆକ୍ଟ-୨୦୦୫ ଅନୁସାରେ ରାଜ୍ୟ ସରକାର ଆର୍ଥିକ ପରିଚାଳନା ଓ ଆର୍ଥିକ ସୁଦୃଢ଼ତାକୁ ଦୃଷ୍ଟିରେ ରଖି ଧୀରେଧୀରେ ରାଜସ୍ୱ ନିଅଂଟ ହ୍ରାସ କରିବେ ଓ ଆର୍ଥିକ ସ୍ଥିରତା ସହ ଖାପଖୁଆଇ ଚିରସ୍ଥାୟୀ ଋଣ ପରିଚାଳନା କରିବେ।

ସେହିପରି ୨୦୨୨ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ଋଣବୋଝ ୭୨୪୮୫ କୋଟି ଟଙ୍କା ଥିଲେହେଁ ଏଥିରୁ ଆଭ୍ୟନ୍ତରୀଣ ଋଣ ୫୩୯୭୭.୨୪କୋଟି ଟଙ୍କା। ଭାରତ ସରକାରଙ୍କଠୁ ଅଣାଯାଇଥିବା ଋଣ ଓ ଅଗ୍ରୀମ ପରିମାଣ ୧୮୫୦୭.୮୨କୋଟି ଟଙ୍କା ରହିଥିଲା। ଏହି ସରକାରୀ ଋଣ ବ୍ୟତୀତ ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ୪୭,୬୫୪କୋଟି ଟଙ୍କାର ଆର୍ଥିକ ବୋଝ ରହିଛି। ଏହି ସମସ୍ତ ଋଣବୋଝ ଓ ଆର୍ଥିକ ବୋଝକୁ ମିଶାଇଲେ ଓଡ଼ିଶା ସରକାରଙ୍କ ଉପରେ ୨୦୨୧-୨୨ ମାର୍ଚ୍ଚ ଶେଷ ସୁଦ୍ଧା ୧ଲକ୍ଷ ୨୦ହଜାର ୧୩୯କୋଟି ଟଙ୍କା ଆର୍ଥିକ ବୋଝ ରହିଛି। ଯାହାକି ରାଜ୍ୟର ମୋଟ ଘରୋଇ ଉତ୍ପାଦର ୧୯ ପ୍ରତିଶତ।

ରିପୋର୍ଟରେ କୁହାଯାଇଛି ୨୦୨୦-୨୧ରେ ଏହି ପରିମାଣ ଘରୋଇ ଉତ୍ପାଦର ୨୩ ପ୍ରତିଶତ ଥିଲା। ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ସରକାରୀ ଋଣ ଓ ଅନ୍ୟାନ୍ୟ ଆର୍ଥିକ ବୋଝର ନିଟ ହ୍ରାସ ୩୧୯୬କୋଟି ଟଙ୍କା ଅର୍ଥାତ ୪ ପ୍ରତିଶତ ହ୍ରାସ ପାଇଛି। ୨୦୨୦-୨୧ରେ ଆଭ୍ୟନ୍ତରୀଣ ଋଣ ବୋଝ ୬୭,୫୨୧କୋଟି ଟଙ୍କା ଓ କେନ୍ଦ୍ର ସରକାରଙ୍କ ଋଣ ୧୧୯୮୨କୋଟି ଟଙ୍କାକୁ ମିଶାଇଲେ ମୋଟ ୭୯,୫୦୩କୋଟି ଟଙ୍କା ସରକାରୀ ଋଣ ରହିଥିଲାବେଳେ ରାଜ୍ୟ ସରକାରଙ୍କ ଉପରେ ମୋଟ ଆର୍ଥିକ ବୋଝ ୧ଲକ୍ଷ ୧୮ହଜାର ୯୫୧କୋଟି ଟଙ୍କା ରହିଛି।

ସେହିପରି ୨୦୨୨ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ମୋଟ ୨୭୪୨୩କୋଟି ଟଙ୍କାର ବିନିଯୋଗ ପତ୍ର ବକେୟା ରହିଛି । ୨୦୨୧-୨୨ ମଧ୍ୟରେ ଆସିଥିବା ମୋଟ ୨୫୯୩୦.୯୭କୋଟି ଟଙ୍କାର ପ୍ରମାଣପତ୍ର ମଧ୍ୟରୁ ୭୮୨୬.୮୨କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ୨୦୨୨ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଦାଖଲ ହୋଇପାରିଥିଲା । ଗୃହ ବିଭାଗ ନିଜ ପାଖରେ ରଖିଥିବା ୯୩୦.୨୦କୋଟି ଟଙ୍କା ଖର୍ଚ୍ଚ ନକରି ପାରି ସେଥିରୁ ୯୨୫.୧୧କୋଟି ଯଙ୍କା ଫେରସ୍ତ କରିଥିଲା । ଯଦିଓ ଏହି ୯୩୦କୋଟି ଟଙ୍କା ଥାଇ ମଧ୍ୟ ଗୃହ ବିଭାଗ ଅନାବଶ୍ୟକ ଭାବେ ୩୯୨.୨୫କୋଟି ଟଙ୍କାର ବଜେଟ୍ ଖର୍ଚ୍ଚଦାବି ୨୦୨୧ ଡିସେମ୍ବର ମାସରେ ଅତିରିକ୍ତ ବଜେଟରେ ଦାବି କରିଥିଲା । ଗୃହ ବିଭାଗ ବିଭିନ୍ନ କ୍ଷେତ୍ର ପାଇଁ ବଜେଟରେ ବ୍ୟୟବରାଦ କରିଥିଲେ ମଧ୍ୟ ସେଗୁଡ଼ିକ ଖର୍ଚ୍ଚ କରିବାରେ ସକ୍ଷମ ହୋଇନଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *

Back to top button