ହାଜତରେ ମୃତ୍ୟୁ ଘଟଣାରେ ୪ ପୋଲିସ୍‌ ଅଧିକାରୀ ନିଲମ୍ୱିତ

ଭୁବନେଶ୍ୱର : ପୋଲିସ ମାଡ଼ରେ ଯୁବକ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା ।  ଏନେଇ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସର ଲାଠି ମାଡ଼ ଘଟଣାରେ ଡ୍ରାଇଭର ସମେତ ଚାରିଜଣ ପୋଲିସ କର୍ମଚାରୀଙ୍କୁ ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟରୁ ନିଲମ୍ୱନ କରାଯାଇଥିବା ଜଣାପଡ଼ିଛି ।

ବରଗଡ଼ରେ ଘଟିଥିବା ଉତ୍ତେଜନା ଓ ଲାଠିଚାର୍ଜ ଘଟଣାର ସ୍ଥିତି ସମୀକ୍ଷା କରିବାକୁ ପଶ୍ଚିମାଞ୍ଚଳ ଡ଼ିଆଇଜି ଜୟନାରାୟଣ ପଙ୍କଜ ବରଗଡ଼ ପହଞ୍ଚି ଥିଲେ । ସେଠାରେ ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବାରୁ ଏକ ଶାନ୍ତି କମିଟି ଗଠନ କରାଯାଇ ମୃତକଙ୍କ ପରିବାର ଲୋକଙ୍କୁ ବୁଝା ସୁଝା କରାଯାଇଥିଲା । ଏହି କମିଟିରେ ବରଗଡ଼ ଏସ୍ପି ରାହୁଲ ଜୈନ, ବିଧାୟକ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ଉପସ୍ଥିତ ଥିଲେ ।

ତେବେ ଘଟଣାର ତଦନ୍ତ ପାଇଁ ହ୍ୟୁମାନ ରାଇଟ ପ୍ରୋଟେକ୍ସନ ସେଲ ଓ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ଵାରା ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଡ଼ିଆଇଜି ଜୟନାରାୟଣ ପଙ୍କଜ । ଅନ୍ୟପକ୍ଷରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ ସରକାରୀ ସ୍ତରରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବା ସହ ତାଙ୍କ ପରିବାରର ଜଣେ ସଦସ୍ୟକୁ ଚାକିରୀ ଦେବାକୁ ଦାବି କରିଛନ୍ତି । ମୃତବ୍ୟକ୍ତିଙ୍କ ଶବକୁ ଶବ ଵ୍ୟଵଛେଦ ଗୃହକୁ ପଠାଇ ସବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।

ତେବେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ସହରରେ ୫ ପ୍ଲାଟୁନ ପୋଲିସ ଫୋର୍ସମୁତୟନ କରାଯାଇଛି । ପୋଲିସ ମାଡ଼ରେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଘଟଣାରେ ଡ୍ରାଇଭର ସମେତ ଚାରିଜଣ ପୋଲିସ କର୍ମଚାରୀଙ୍କୁ ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରୁ ପ୍ରତ୍ୟାହାର କରି ନିଆଯାଇଛି । ସେମାନଙ୍କ ମଧ୍ୟରୁ ଜଣେ SI ମଙ୍ଗଲ କିସ୍କୋ, ASI ପିତାମ୍ବର ବେହେରା, ASI କ୍ଷୀରୋଦ୍ର ବିଶ୍ୱାଳ ଓ ହୋମଗାର୍ଡ ଗୋପବନ୍ଧୁ ଜଗଦଲା ବୋଲି ବରଗଡ଼ ଏସ୍‌ପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Back to top button