ଓବାମାଙ୍କୁ ରୁଷ ମନା

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ରୁଷ ପ୍ରତିବନ୍ଧକ ଲଗାଇଛି। କେବଳ ଓବାମା ନୁହଁନ୍ତି ତାଙ୍କ ସହିତ ୫୦୦ ଜଣ ଆମେରିକୀୟଙ୍କ ପ୍ରବେଶ ଉପରେ ଲାଗିଛି କଟକଣା। ଆମେରିକା ରୁଷ ଉପରେ ଲଗାଇଥିବା ପ୍ରତିବନ୍ଧକର ଜବାବରେ ରୁଷ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଖବର ଅନୁଯାୟୀ ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକା ଓ ରୁଷିଆ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଦେଖାଦେଇଛି। ୟୁକ୍ରେନ୍ ଆକ୍ରମଣ ପରଠାରୁ ଆମେରିକା ରୁଷ ଉପରେ ଉଭୟ କୂଟନୈତିକ ଓ ଅର୍ଥନୈତିକ ଚାପ ଅନେକଥର ପକାଇଛି। ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ରୁଷ ବହୁବାର ଅଭିଯୋଗ ଆଣିଛି। ଏକ ଜାତୀୟ ଗଣମାଧ୍ୟମ ଅନୁସାରେ ରୁଷ ମନ୍ତ୍ରାଳୟ ଏକ ବୟାନରେ କହିଛି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ଓ ତାଙ୍କ ସହ ଯାଉଥିବା ମିଡିଆକୁ ଆମେରିକା ଯାତ୍ରା ପାଇଁ ଭିସା ଦେବାକୁ ଗତମାସରେ ଆମେରିକା ମନା କରିଦେଇଥିଲା। ଶୁକ୍ରବାର ଆମେରିକା ଅନେକ ରୁଷ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କୁ ବ୍ୟାନ୍ କରିଥିଲା। ଆଉ ଯାହାପରଠାରୁ ମସ୍କୋ ଆମେରିକାକୁ କଡା ଜବାବ ଦେବା ପାଇଁ ଅନାଇବସିଥିଲା। ସେହିପରି ବାଇଡେନ୍ ପ୍ରଶାସନ ନିୟମିତ ରୁଷ ବିରୋଧୀ କଟକଣାର ଜବାବ ସ୍ୱରୂପ ଏବେ କାଯ୍ୟାନୁଷ୍ଠାନ ନେଇଥିବା ନେଇ ରୁଷ ମନ୍ତ୍ରାଳୟ ତରଫରୁ କୁହାଯାଇଛି।




























