ବଙ୍ଗୋପସାଗର କୋକୋ ଦ୍ୱୀପରେ ଚୀନର ଗୁଇନ୍ଦା ଓ ନିରୀକ୍ଷଣ ଘାଟି

ନୂଆଦିଲ୍ଲୀ : ବଙ୍ଗୋପସାଗର କୋକୋ ଦ୍ଵୀପରେ ଚୀନର ଗୁଇନ୍ଦା ଓ ନିରୀକ୍ଷଣ ଘାଟି ନିର୍ମାଣ। ଏଥିପାଇଁ ମିଆଁମାର ଅନୁମତି ଦେଇଥିବାରୁ ଭାରତ ଉଦ୍‌ବେଗ ପ୍ରକାଶ କରିଛି।

ଖବର ଅନୁଯାୟୀ ଓଡ଼ିଶାର ଏପିଜେ କଲାମ ଦ୍ଵୀପରୁ କରାଯାଉଥିବା କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ଓ ବିଶାଖାପାଟଣାରେ ରଖାଯାଇଥିବା ଗୁରୁତ୍ଵପୂର୍ଣ୍ଣ ସାମରିକ ସଂପତ୍ତିକୁ ନିରୀକ୍ଷଣ କରିବାକୁ ଚୀନ କାର୍ଯ୍ୟ କରୁଛି। ବିଶାଖାପାଟଣାରୁ ମାତ୍ର ୫୦ କିମି ଦୂରରେ ନିର୍ମିତ ରାମବିଲ୍ଲି ନୌସେନା ଘାଟିରେ ଭାରତର ଆଣବିକ ବୁଡ଼ାଜାହାଜ ଚଳାଚଳ ଉପରେ ମଧ୍ୟ ଚୀନ ସେନା ନଜର ରଖିଛି।

ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ ହ୍ଲେଙ୍ଗଙ୍କ ନେତୃତ୍ଵରେ ପରିଚାଳିତ ମିଆଁମାରର ରାଜନୈତିକ ନେୃତୃତ୍ଵ ସହିତ ଭାରତ ଏହାର ଆଲୋଚନା ଜାରି ରଖିବ ବୋଲି ଜଣାଯାଇଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ କୋକୋ ଦ୍ଵୀପ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ମିଆଁମାର ପକ୍ଷରୁ ଯେଉଁ ଉତ୍ତର ଦିଆଯାଇଛି ସେଥିରେ ମନ୍ତ୍ରାଳୟ ସନ୍ତୁଷ୍ଟ ନୁହେଁ।

ଅନ୍ୟପକ୍ଷରେ କୋକୋ ଦ୍ଵୀପରେ ଚୀନ କରୁଥିବା ରନୱେ ସଂପ୍ରସାରଣ, ସୁରକ୍ଷିତ ଘର ନିର୍ମାଣ, ନିରୀକ୍ଷଣ କେନ୍ଦ୍ର ସ୍ଥାପନ କିମ୍ବା ଭିତ୍ତିଭୂମି ବିକାଶକୁ ମିଆଁମାର ସେନା ସରକାର ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। କିନ୍ତୁ ୨୦୨୧ରେ ଦେଶର ଶାସନକୁ ସେନା ଅକ୍ତିଆର କରିବା ପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ମିଆଁମାର ସହିତ ସଂପର୍କ ଛିନ୍ନ କରିଛନ୍ତି। ଏଭଳି ସ୍ଥିତିରେ ଚୀନ ସହିତ ସଂପର୍କ ନରଖିବା ଛଡ଼ା ମିଆଁମାର ନିକଟରେ ଅନ୍ୟ କୌଣସି ବିକଳ୍ପ ନାହିଁ। କାରଣ ଚୀନ ମିଆଁମାରକୁ ପାଖାପାଖି ୪ ବିଲିଅନ ଡଲାରର ସହାୟତା ଦେଇଥିବା ବେଳେ ବେଲ୍ଟ ରୋଡ୍ ଇନିସିଏଟିଭରେ ଏହି ଦେଶକୁ ସାମିଲ କରିବାକୁ ଚଳାଇଛି ପ୍ରଚେଷ୍ଟା। ପ୍ରକୃତ ଉଦ୍ଦେଶ୍ୟ ବଙ୍ଗୋପସାଗର ଓ ଭାରତ ମହାସାଗରରେ ଆଧିପତ୍ୟ ବିସ୍ତାର ପାଇଁ ଚୀନ (ଚୀନ-ମିଆଁମାର-ବାଂଲାଦେଶ) ପ୍ରକଳ୍ପ ନିର୍ମାଣ କରିବାକୁ ଆଗ୍ରହ ରଖିଛି।

ସୂଚନାଯୋଗ୍ୟ କୋକୋ ଦ୍ଵୀପରେ ରନୱେର ସଂପ୍ରସାରଣ ପରେ ସେଠାରେ ପରିବହନ ବିମାନ ଅବତରଣ କରିପାରିବ। ଏଥିସହିତ ନିର୍ମାଣ କରାଯାଇଥିବା ନୂଆ ଘରେ ଚୀନ ଓ ମିଆଁମାରର ପ୍ରାୟ ୧୫୦୦ ସୈନିକ ରହୁଛନ୍ତି। ବାଜପେୟୀ ସରକାରଙ୍କ ଅମଳରେ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ କୋକୋ ଦ୍ଵୀପରୁ ଚୀନ ଭାରତର ସାମରିକ କାର୍ଯ୍ୟକ୍ରମ ଉପରେ ନଜର ରଖିଥିବା ବିଷୟ ସାମ୍ନାକୁ ଆଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଭାରତରେ ଥିବା ଚୀନ ସମର୍ଥକମାନେ ସେହି ପ୍ରସଙ୍ଗକୁ ସେତେଟା ଗୁରୁତ୍ଵ ଦେଇନଥିଲେ। ଯାହା ଏବେ ଭାରତ ଚିନ୍ତାର କାରଣ ହୋଇଛି।

Leave a Reply

Your email address will not be published. Required fields are marked *

Back to top button