ଶିକ୍ଷୟିତ୍ରୀ ଓ ଦୁଇ ପୁଅଙ୍କ ମୃତ୍ୟୁ, ଶାଶୁଙ୍କ ଅବସ୍ଥା ସଙ୍କଟାପନ୍ନ

ବ୍ରହ୍ମପୁର : ଶେରଗଡ଼ ମହାତ୍ମା ଗାନ୍ଧି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସାବିତ୍ରୀ ବେହେରା ଓ ତାଙ୍କର ଦୁଇ ପୁଅଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଶାଶୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଖବର ଅନୁଯାୟୀ ସାବିତ୍ରୀଙ୍କ ସ୍ୱାମୀ ପ୍ରଶାନ୍ତ ଡାକୁଆଙ୍କ ସୂଚନା ଗତକାଲି ରାତିରେ ଦୁଇ ଯାଆଁଳା ପୁଅ ଶିବେଶ ଓ ପ୍ରୀତେଶ କ୍ଷୀର ଓ ରୁଟି ଖାଇବା ପରେ କ୍ଷୀର ପିଇଥିଲେ। ସେହିପରି ସେ, ତାଙ୍କ ମା’ ଉର୍ମିଳା ଡାକୁଆ ଓ ପତ୍ନୀ ସାବିତ୍ରୀ ରୁଟି ସହିତ ପନିର, ପୋଟଳ ତରକାରି ଓ ସନ୍ତୁଳା ଖାଇ ଶୋଇବାକୁ ଯାଇଥିଲେ। କିନ୍ତୁ ରାତି ପ୍ରାୟ ୧୨ଟାରେ ପ୍ରୀତେଶର ବାନ୍ତି ହେବାରୁ ସାବିତ୍ରୀ କିଛି ଔଷଧ ଖାଇବାକୁ ଦେଇଥିଲେ। ରାତି ପ୍ରାୟ ଅଢ଼େଇଟାରେ ଶିବେଶ ପେଟ କାଟୁଛି ବୋଲି କହି ଝାଡ଼ା ଯାଇଥିଲେ। ତାଙ୍କର ମଧ୍ୟ ବାନ୍ତି ହୋଇଥିଲା। ପରେ ପ୍ରଶାନ୍ତଙ୍କ ପତ୍ନୀ ସାବିତ୍ରୀ ଓ ମା’ ଉର୍ମିଳାଙ୍କର ବାନ୍ତି ହୋଇଥିଲା। ସେମାନେ ବାନ୍ତି କରି ଶୋଇଥିଲେ। ପ୍ରଶାନ୍ତଙ୍କର ମଧ୍ୟ ଝାଡ଼ା ଓ ବାନ୍ତି ହୋଇଥିଲା।

ଭୋର ସମୟରେ ପ୍ରଶାନ୍ତ ସମସ୍ତଙ୍କୁ ଡାକ୍ତରଖାନା ନେବାକୁ ଅଟୋ ଖୋଜିଥିଲେ। ଅଟୋ ନପାଇବାରୁ ପତ୍ନୀଙ୍କ ସ୍କୁଟିରେ ଡାକ୍ତରଖାନା ବାହାରିଥିବା ବେଳେ ଶେରଗଡ଼ ଥାନାର ଜଣେ କର୍ମଚାରୀଙ୍କ ସହିତ ଦେଖା ହୋଇଥିଲା। ସେ ପ୍ରଶାନ୍ତଙ୍କୁ ନେଇ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ପ୍ରଶାନ୍ତଙ୍କୁ ସାଲାଇନ ଦିଆଯାଇଥିଲା। ସାଲାଇନ ଲାଗିବାର କିଛି ସମୟ ପରେ ସୁସ୍ଥ ଅନୁଭବ କରିବାରୁ ପ୍ରଶାନ୍ତ ଘରକୁ ଫୋନ୍ କରିବାରୁ ମା’ ଉର୍ମିଳା କହିଥିଲେ ସମସ୍ତେ ଶୋଇଛନ୍ତି। ପ୍ରଶାନ୍ତ ଅଟୋ ନେଇ ଘରେ ପହଞ୍ଚି ଦେଖିଲେ ଦୁଇ ପୁଅଙ୍କ ଦେହ ଥଣ୍ଡା ପଡ଼ି ସାରିଥିଲା। ସେ ଦୁହିଁଙ୍କୁ ଡାକ୍ତରଖାନା ଆଣିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମା’ ଓ ସ୍ତ୍ରୀ ସାବିତ୍ରୀଙ୍କୁ ଡାକ୍ତରଖାନା ଆଣିବାକୁ ପ୍ରଶାନ୍ତ ଅଟୋ ନେଇ ଘରକୁ ଯାଇଥିଲେ। କିନ୍ତୁ ଦେଖିଲେ ସ୍ତ୍ରୀଙ୍କ ଅବସ୍ଥା ଅତି ଭାରି ଖରାପ। ସେ ଅଟୋରେ ଯାଇପାରିବେନି। ତେଣୁ ମା’ଙ୍କୁ ଅଟୋରେ ଡାକ୍ତରଖାନା ନେଇ ପତ୍ନୀଙ୍କ ପାଇଁ ଆମ୍ବୁଲାନ୍ସ ଡକାଇଥିଲେ। ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ସାବତ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା। ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କେଉଁ କାରଣରୁ ଏମିତି ଘଟଣା ଘଟିଲା ତାହା ଜଣାପଡ଼ିନାହିଁ। ବିଷକ୍ରିୟା ଯୋଗୁ ଏପରି ଘଟିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button