ଭାରତ ସରକାର ଲେଖାଥିବା ଗାଡ଼ିରୁ ବ୍ରାଉନ୍‌ସୁଗର ଜବତ

ପୁରୀ : ସଦର ଥାନା ଅଞ୍ଚଳରେ ନିଶା ବେପାରୀମାନେ ସେମାନଙ୍କ କାରବାରର ତରିକା ବଦଳାଇଛନ୍ତି। ଭାରତ ସରକାର ଲେଖାଥିବା ଏକ କାର୍‌ରେ ବ୍ରାଉନ୍‌ ସୁଗର ଯାଉଥିବା ବେଳେ ପୋଲିସ ଜବତ କରି ତିନିଜଣଙ୍କୁ ଧରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେବ ପ୍ରସାଦ ମିଶ୍ର, ସେକ୍ କରିମ୍ ଉଲ୍ଲା ଓ ସେକ୍ ଅନୁ। ଦେବଙ୍କ ଘର ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ରାଇଚକ୍ରଧରପୁରରେ ହୋଇଥିବା ବେଳେ ସେକ୍‌ କରିମ ଘର ପଟିଆର ଶିଖରଚଣ୍ଡି ନଗର ଓ ଅନୁଙ୍କ ଘର ସିନ୍ଦୁରିଆରେ।

ଖବର ଅନୁଯାୟୀ କାର୍‌ରେ ବ୍ରାଉନ୍ ସୁଗର ନେଇ କିଛି ଯୁବକ ପୁରୀରୁ ଭୁବନେଶ୍ୱର ଯାଉଥିବା ସଦର ଥାନା ଆଇଆଇସି ଏସ୍‌.କେ ମହାନ୍ତିଙ୍କୁ ସୂଚନା ମିଳିଥିଲା। ସେ ଓ ତାଙ୍କ ଟିମ୍‌ କାର୍‌ଟିକୁ ମାଳତିପୁର ବସଷ୍ଟାଣ୍ଡ ନିକଟରେ ଧରି ଯାଞ୍ଚ କରିବାରୁ ମିଳିଥିଲା ୪୦ ଗ୍ରାମ ବ୍ରାଉନ୍ ସୁଗର। ତଦନ୍ତରୁ ଜଣାପଡ଼ିଛି ଅଭିଯୁକ୍ତମାନେ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନ୍ ସୁଗର କିଣି ପୁରୀରେ ବିକ୍ରି କରୁଥିଲେ। ସୂଚନାଯୋଗ୍ୟ ପୁରୀ ଏସଟିଏଫ ଗତ ୧୫ ଦିନରେ ୧୦୦ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ୧୫ଜଣଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button