ପଶ୍ଚିମବଙ୍ଗ : ପଞ୍ଚାୟତ ନିର୍ବାଚନରେ ମୁତୟନ ହେବେ କେନ୍ଦ୍ରୀୟ ବାହିନୀ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ହେବାକୁଥିବା ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବାହିନୀ ମୁତୟନ ହେବେ। କୋଲକତା ହାଇକୋର୍ଟଙ୍କ ଆଦେଶ ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ହିଂସାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାରେ ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରିବାକୁ କୋଲକାତା ହାଇକୋର୍ଟ ରାଜ୍ୟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିରୋଧକରି ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିବା ବେଳେ ହାଇକୋର୍ଟଙ୍କ ରାୟକୁ କାୟମ ରଖିଛନ୍ତି।

ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଓକିଲ କହିଥିଲେ ଜୁଲାଇ ୮ରେ ନିର୍ବାଚନ ହେବ। ନାମାଙ୍କନ ପ୍ରତ୍ୟାହାର ପାଇଁ ଆଜି (ଜୁନ୍ ୨୦) ହେଉଛି ଶେଷ ତାରିଖ। ରାଜ୍ୟରେ ୧୮୯ଟି ସମ୍ବେଦନଶୀଳ ବୁଥ୍ ରହିଥିଲେ ହେଁ ସୁରକ୍ଷା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହାପରେ ସୁପ୍ରିମକୋର୍ଟ କହିଥିଲେ ୨୦୧୩ ଓ ୨୦୧୮ ନିର୍ବାଚନରେ ​​ହିଂସା ହେବାର ଏକ ପୁରୁଣା ଇତିହାସ ଥିବାରୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ହିଂସା ପରିବେଶରେ ନିର୍ବାଚନ କରାଯାଇପାରିବ ନାହିଁ। ନିର୍ବାଚନ ନିରପେକ୍ଷ ଓ ମୁକ୍ତ ହେବା ଉଚିତ୍। ଯଦି ଲୋକଙ୍କର ନାମାଙ୍କନପତ୍ର ଦାଖଲ କରିବାର ସ୍ୱାଧୀନତା ନାହିଁ, ସେମାନଙ୍କୁ ହତ୍ୟା କରାଯାଉଛି। ତେବେ ମୁକ୍ତ ଓ ନିରପେକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠିଛି। ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସରକାରଙ୍କ ପାଖରେ ପୋଲିସ ଫୋର୍ସର ଅଭାବ ରହିଛି। ସେମାନେ ସ୍ୱୀକାର କରିଛନ୍ତି ଅନ୍ୟ ରାଜ୍ୟରୁ ପୋଲିସ ଫୋର୍ସ ଆଣିବାର ବ୍ୟବସ୍ଥା କରିବେ। ଏହି କାରଣରୁ ହାଇକୋର୍ଟ ଅନ୍ୟ ରାଜ୍ୟରୁ ପୋଲିସ ଡାକିବା ପରିବର୍ତ୍ତେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ମୁତୟନ କରିବାକୁ କହିଛନ୍ତି। ତେଣୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ।

Leave a Reply

Your email address will not be published. Required fields are marked *

Back to top button