ଶ୍ମଶାନରୁ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ ଉଦ୍ଧାର
ବ୍ରହ୍ମପୁର : କୁକୁଡ଼ାଖଣ୍ଡି ବ୍ଲକ୍ ବୋରିଗାଁ ପଞ୍ଚାୟତ ମହୁଲପଲ୍ଲୀ ଗ୍ରାମ ଶ୍ମଶାନରୁ ଜଣେ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ମୃତଦେହକୁ ବାହାର କରାଯାଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ହତ୍ୟା ପରେ ପୋତାଯାଇଥିବା ଅନୁମାନ ହେଉଛି।
ଖବର ଅନୁଯାୟୀ ରବିବାର ଝୁନୁ ନାମକ ଜଣେ ମହିଳା ଶ୍ମଶାନ ଦେଇ ବିଲକୁ ଯାଉଥିଲେ। ସେ ଦେଖିଲେ ସମାଧି ପାଖରେ ଗାତ ଖୋଳାଯାଇ ତାଜା ମାଟି ପଡ଼ିଛି। ସନ୍ଦେହ ହେବାରୁ ସେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଜଣାଇଥିଲେ। ହିଞ୍ଜିଳିକାଟୁ ପୋଲିସ ସେଠାରେ ପହଞ୍ଚିବା ପରେ କୁକୁଡ଼ାଖଣ୍ଡି ଅତିରିକ୍ତ ତହସିଲଦାର ଓ ଆସିକା ଏସଡିପିଓଙ୍କ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ଗାତ ଭିତରୁ ମିଳିଲା ଜଣେ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ଶବ। ବୟସ ଅନୁମାନ ୧୮ରୁ ୨୦ ବର୍ଷ। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋତାଯାଇଥିବା ସନ୍ଦେହ ହେବାରୁ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି।