ଜାଲ ଦସ୍ତଖତ ଅଭିଯୋଗରେ ରାଜ୍ୟସଭାରୁ ଆପ୍ ନେତା ରାଘବ ଚଢ଼ା ନିଲମ୍ବିତ
ନୂଆଦିଲ୍ଲୀ : ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ସଂକ୍ରାନ୍ତ ପ୍ରସ୍ତାବରେ ୫ ଜଣ ସାଂସଦଙ୍କ ଦସ୍ତଖତ ଜାଲ୍। ଏପରି କରିଥିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି।
ଖବର ଅନୁଯାୟୀ ଅଗଷ୍ଟ ୭ ତାରିଖରେ ଏକ ପ୍ରସ୍ତାବରେ ଚଢ଼ା ୪ ଜଣ ରାଜ୍ୟସଭା ସାଂସଦଙ୍କ ବିନା ଅନୁମତିରେ ସେମାନଙ୍କ ନାମ ସାମିଲ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ବୁଧବାର ସାଂସଦଙ୍କ ଅଭିଯୋଗକୁ ସ୍ୱାଧିକାର କମିଟିକୁ ପଠାଇ ଘଟଣାର ଅନୁଧ୍ୟାନ କରିଛନ୍ତି। ସାଂସଦ ସସ୍ମିତ ପାତ୍ର, ଏସ୍ ଫାଙ୍ଗନନ୍ କୋନିଆକ୍, ଏମ୍ ଥାମ୍ବିଦୁରାଇ ଓ ନରହରି ଅମିନ୍ଙ୍କୁ ନପଚାରି ଚଢ଼ା ଗୃହ କମିଟିରେ ସେମାନଙ୍କ ନାମ ଯୋଡ଼ିଥିବା ଅଭିଯୋଗ କରିଥିଲେ। ରାଘବ ଚଢ଼ାଙ୍କୁ ନିଲମ୍ବିତ କରିବା ପାଇଁ ରାଜ୍ୟସଭାରେ ଗୃହ ନେତା ପୀୟୂଷ ଗୋଏଲ ପ୍ରସ୍ତାବ ଆଗତ କରିଥିଲେ। ଅନ୍ୟପକ୍ଷରେ ଆପ୍ କହିଛି ଜାଲିଆତି କିମ୍ବା ନକଲି ଦସ୍ତଖତ ଅଭିଯୋଗରେ ଏହି ନିଲମ୍ବନ କରାଯାଇନାହିଁ। ବୁଧବାର ଆପ୍ ନେତାଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ଏହା କରାଯାଇଛି।