ବିଧବା ବୋହୂ ଶାଶୂ-ଶ୍ୱଶୁରଙ୍କ ଦେଖାଶୁଣା କରିବାକୁ ବାଧ୍ୟ ନୁହଁନ୍ତି

ମୁମ୍ବାଇ : ବିଧବା ବୋହୂ ଶାଶୂ-ଶ୍ୱଶୁରଙ୍କ ଦେଖାଶୁଣା କରିବାକୁ ବାଧ୍ୟ ନୁହଁନ୍ତି। ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ସୋମବାର ବମ୍ବେ ହାଇକୋର୍ଟଙ୍କ ବିଚାରପତି କିଶୋର ସନ୍ଥଙ୍କ ନେତୃତ୍ୱାଧୀନ ଜଣିକିଆ ଖଣ୍ଡପୀଠ ୩୮ ବର୍ଷୀୟା ମହିଳା ଶୋଭା ତିଡ଼କେଙ୍କ ଦ୍ୱାରା ଦାଖଲ ପିଟିସନର ଶୁଣାଣି କରିଥିଲେ। ଶୋଭାଙ୍କ ସ୍ୱାମୀ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମରେ କାର୍ଯ୍ୟ କରୁଥିଲେ। ତାଙ୍କର ଅକାଳ ବିୟୋଗ ପରେ ସେ ମୁମ୍ବାଇସ୍ଥିତ ସରକାରୀ ଜେ.ଜେ. ହସ୍ପିଟାଲରେ ଚାକିରି ଆରମ୍ଭ କଲେ । କିନ୍ତୁ ଶୋଭାଙ୍କ ଶ୍ୱଶୁର କ୍ରିଷ୍ଣାରାଓ ତିଡ଼କେ ଓ ଶାଶୂ କାନ୍ତାବାଈ ତିଡ଼କେ ନିଜର କୌଣସି ଆୟ ନଥିବା ଦର୍ଶାଇ ବୋହୂଙ୍କଠାରୁ ରକ୍ଷଣାବେକ୍ଷଣ ଖର୍ଚ୍ଚ ଦାବି କରିଥିଲେ।

ଏହି ମାମଲାରେ ଶୋଭା ଦର୍ଶାଇଥିଲେ ତାଙ୍କ ସ୍ୱାମୀଙ୍କ ପିତାମାତାଙ୍କର ଗ୍ରାମରେ ଜମି ଓ ଘର ରହିଛି। ଏଥିସହ କ୍ଷତିପୂରଣ ଭାବେ ସେମାନେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମଠାରୁ ୧.୮୮ ଲକ୍ଷ ଟଙ୍କା ପାଇଥିଲେ। ହାଇକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଆବେଦନକାରୀ ମହିଳା ଶୋଭା ତିଡ଼କେ ଅନୁକମ୍ପା ଭାବେ ଚାକିରି ପାଇନାହାନ୍ତି। ତେଣୁ ସେ ଶାଶୂ ଓ ଶ୍ୱଶୁରଙ୍କ ଦେଖାଶୁଣା କରିବାକୁ ବାଧ୍ୟ ନୁହନ୍ତି। ସୂଚନାଯୋଗ୍ୟ ପୂର୍ବରୁ ମହାରାଷ୍ଟ୍ରର ଲାଟୁର ସହରସ୍ଥିତ ନ୍ୟାୟାଧିକାରୀ ଗ୍ରାମ ନ୍ୟାୟାଳୟ (ସ୍ଥାନୀୟ କୋର୍ଟ) ମୃତ ସ୍ୱାମୀଙ୍କ ପିତା ଓ ମାତାଙ୍କ ଦେଖାଶୁଣା କରିବାକୁ ଶୋଭାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ୍‌ କରି ଶୋଭା ବମ୍ବେ ହାଇକୋର୍ଟ ଯାଇଥିଲେ।

Leave a Reply

Your email address will not be published. Required fields are marked *

Back to top button