ବାର୍ ଆସୋସିଏସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ବିସିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ଅଦାଲତ ମାନଙ୍କରେ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ବାର୍ ଆସୋସିଏସନ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ସତ୍ୟପାଠ ଜରିଆରେ ଦିଅ। ଦୁଇ ସପ୍ତାହ ଭିତରେ ଏହା ଦାଖଲ କରିବାକୁ ସୁପ୍ରିମକୋର୍ଟ ବାର୍ କାଉନସିଲ ଅଫ ଇଣ୍ଡିଆ (ବିସିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି।
ଖବର ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ସୁଧାଂଶୁ ଧୁଲିଆ ‘କମନ କଜ୍’ ଦ୍ଵାରା ଦାଖଲ ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରିଥିଲେ। ‘କମନ କଜ୍’ର ଅଭିଯୋଗ ଥିଲା ବିସିଆଇ ଆଇନଜୀବୀଙ୍କ ଆନ୍ଦୋଳନକୁ ରୋକିବା ପାଇଁ କୌଣସି ପଦକ୍ଷେପ ନେଉନାହିଁ। ଏହା ଉପରେ ବିଚାରପତି କୌଲ କହିଥିଲେ ଯେତେବେଳେ ଓକିଲମାନଙ୍କ ଆନ୍ଦୋଳନ ସଂପର୍କିତ ମାମଲା ନ୍ୟାୟାଳୟଙ୍କ ନିକଟକୁ ଆସୁଛି ଏଥିରେ ସୁପ୍ରିମକୋର୍ଟକୁ ହସ୍ତକ୍ଷେପ କରିବା ସହ ଏହାର ସମାଧାନ ପାଇଁ ଆଦେଶ ଜାରି କରିବାକୁ ପଡ଼ୁଛି। ଏହି ଅବସରରେ ଜଷ୍ଟିସ କୌଲ ଗତବର୍ଷ ଓଡ଼ିଶାର ଆଇନଜୀବୀଙ୍କ ପ୍ରସଙ୍ଗ ଉଲ୍ଲେଖ କରି ଆଇନଜୀବୀମାନେ ହିଂସାରେ ସାମିଲ ହୋଇଥିଲେ ବୋଲି କହିଥିଲେ। ବିଚାରପତି କୌଲ କହିଥିଲେ ଯଦି କୌଣସି ନିଷ୍ପତ୍ତିରେ ବାର୍ ଆସୋସିଏସନ ଅସହମତ ହୁଅନ୍ତି ସେମାନେ ରିଜଲ୍ୟୁସନ ପାରିତ କରିପାରିବେ। ହେଲେ କୋର୍ଟ କାର୍ଯ୍ୟକୁ ବନ୍ଦ କରିଦେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ।