୫୦ରୁ ଅଧିକ ବିବାହ କରିଥିବା ଠକ ଗିରଫ

ଭୁବନେଶ୍ଵର : ମ୍ୟାଟ୍ରିମୋନିଆଲ ସାଇଟ୍‌ରେ ଯୋଗାଯୋଗ କରି ୫୦ରୁ ଅଧିକ ମହିଳାଙ୍କୁ ବିବାହ କରିଥିବା ଜଣେ ରସିକିଆ ଠକକୁ ଗୁରୁଗ୍ରାମ ପୋଲିସ ଗିରଫ କରିଛି। ତାଙ୍କ ନାଁ ତାପସ। ସେ ଜାମସେଦପୂରର ମୂଳ ବାସିନ୍ଦା।

ଖବର ଅନୁଯାୟୀ ତାପସ ୧୯୯୨ରେ ପ୍ରଥମେ କୋଲକାତାରେ ଜଣଙ୍କୁ ବିବାହ କରିଥିଲେ। ଦୁଇଟି ଝିଅ ଜନ୍ମ ହେବାପରେ ପତ୍ନୀ ଓ ପିଲାଙ୍କୁ ଛାଡ଼ି ୨୦୦୦ ମସିହାରେ କେଉଁ ଆଡ଼େ ଚାଲି ଯାଇଥିଲେ। ଗୁରୁଗ୍ରାମ ପୋଲିସ ନିକଟରେ ଜଣେ ମହିଳା ଅଭିଯୋଗ କରିଥିଲେ ଗୋଟିଏ ବିବାହ ଆପ୍‌ରେ ସେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ଏହାପରେ ଦୁହିଁଙ୍କର ବିବାହ ହୋଇଥିଲା। କିନ୍ତୁ ବାହାଘରର ୩ ଦିନ ପରେ ବ୍ୟକ୍ତି ଜଣଙ୍କ ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଓ ଗହଣା ନେଇ ଫେରାର ହୋଇଯାଇଛନ୍ତି।

ପୋଲିସ ଏହି ମାମଲାର ତଦନ୍ତ କରି ଜାଣିବାକୁ ପାଇଥଲା ବ୍ୟକ୍ତି ଜଣଙ୍କ ବେଙ୍ଗାଲୁରୁରେ ଏକ ନିଯୁକ୍ତି ଏଜେନ୍ସି ଖୋଲିଛନ୍ତି। ଏହି ଏଜେନ୍ସି ଦ୍ୱାରା ସେ ଅନେକ ଯୁବକ ଓ ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ଠକୁଥିଲେ। କିନ୍ତୁ ଏହା ବେଶିଦିନ ନଚାଲିବାରୁ ବିବାହ ବିଚ୍ଛେଦ ହୋଇ ସାରିଥିବା ମହିଳା, ବିଧବା ଓ ବିବାହିତ ମହିଳାଙ୍କୁ ଶାଦି ଆପ୍‌ ଜରିଆରେ ନିଜ ଜାଲରେ ଫସାଇ ଡେଟିଂ ଆରମ୍ଭ କରିଥିଲେ। ସେ ମଧ୍ୟବୟସ୍କା ମହିଳାଙ୍କ ସହ ସମ୍ପର୍କ ରଖୁଥିଲେ ଓ ସୁବିଧା ଦେଖି ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର ହୋଇ ଯାଉଥିଲେ। ଦୀର୍ଘ ୨୦ ବର୍ଷରେ ସେ ୫୦ରୁ ଅଧିକ ମହିଳାଙ୍କୁ ବିବାହ କରି ସାରିଛନ୍ତି। ଓଡ଼ିଶାର ଗୋଟିଏ ଡ୍ରଗ ଡି-ଆଡିକସନ ସେଣ୍ଟରରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ରିମାଣ୍ତରେ ଆଣି ଜେରା କରାଯିବ ବୋଲି ପୋଲିସ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button