ରାଜ୍ୟରେ ବିଜେଡ଼ିର ପ୍ରକ୍ସି ସରକାର ଚାଲିଛି : ପିସିସି ସଭାପତି

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଜୁବାବୁଙ୍କ ସ୍ୱପ୍ନ ଶାକାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ତାଙ୍କର ଠିକଣା ହଜିଯାଇଛି। ବ୍ୟକ୍ତିଗତ ସଚୀବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ସତଚେଷ୍ଟିତ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏହା କହିଥିବା ବେଳେ ରାଜ୍ୟରେ ବିଜେଡ଼ିର ପ୍ରକ୍ସି ସରକାର ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି।

ଖବର ଅନୁଯାୟୀ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଗରଦପୁର ବ୍ଲକ ଅନ୍ତର୍ଗତ ଚଁପୁର ଖେଲପଡିଆଠାରେ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ “ପରିବର୍ତନ ସମାବେଶ” ଆୟୋଜନ କରଯାଇଥିଲା। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ଚାନ୍ଦୋଳ ବଜାର ଫାଣ୍ଡି ଛକଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ଏକ ବିରାଟ ମୋଟରସାଇକେଲ ଶୋଭାଯାତ୍ରାରେ ନିଆଯାଇଥିଲା। ସମାବେଶରେ ଉଦ୍‌ବୋଧନ ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଓଡ଼ିଶା ସରକାରଙ୍କର ନେତୃତ୍ୱ କିଏ ନେଉଛି ତାହା ଜନସାଧାରଣରେ ଏବେ ଦ୍ୱନ୍ଦ ସୃଷ୍ଟି କରୁଛି। ସାଧାରଣ ଜନତା କାହା ପାଖରେ ଗୁହାରୀ କରିବେ ? ଯାହାଙ୍କୁ ଭୋଟ ଦେଇ ଜନପ୍ରତିନିଧି ବାଛିଥିଲେ ସେମାନଙ୍କର ଏ ସରକାରରେ କିଛି ଭୂମିକା ନଥିବା ଜଳ ଜଳ ହୋଇ ଦେଖାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଜୁବାବୁଙ୍କ ସ୍ୱପ୍ନ ଶାକାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ତାଙ୍କର ଠିକଣା ହଜିଯାଇଛି। ବ୍ୟକ୍ତିଗତ ସଚୀବଙ୍କ ସ୍ୱପ୍ନକୁ ସାକାର ପାଇଁ ସେ ସତଚେଷ୍ଟିତ ଥିବା ବେଳେ ତାଙ୍କ ସ୍ଥାନରେ ଜଣେ ଅଫିସର ସାଧାରଣ ଲୋକଙ୍କୁ ଦରଖାସ୍ତ ମାଗୁଛନ୍ତି। ଓଡ଼ିଶା ବାସୀଙ୍କର ଦୁର୍ଭାଗ୍ୟ ଯେ ରାଜ୍ୟରେ ଏବେ ବିଜେଡ଼ିର ପ୍ରକ୍ସି ସରକାର ଚାଲିଛି ବୋଲି ସେ କହିଛନ୍ତି।

ସେ କହିଲେ ଦୀର୍ଘବର୍ଷ ଶାସନରେ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରଗତି ଗୋଟିଏ ପାଦ ଆଗେଇ ପାରିଲାନାହିଁ। ସରକାରୀ ଡାକ୍ତରଖାନାରେ ୪୪ ପ୍ରତିଶତ ଡାକ୍ତର ନାହାନ୍ତି। ରୋଗୀ ଆଜି ବି ଭାରରେ ଏବଂ ଭରା ନଈରେ ତା’ର ଧରି ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି। ପ୍ରତି ଅଂଚଳରେ ଆଜି ଢ଼େର ଦାନ ମାଝୀର କାହାଣି ଓଡ଼ିଶା ସରକାର ସୃଷ୍ଟି କରୁଛନ୍ତି। ନକଲି ଔଷଧ କାରବାର ବ୍ୟାପକ। ଏଣୁ ୨୩ ବର୍ଷର ନବୀନ ସରକାର ରାଜ୍ୟବାସୀଙ୍କ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ। କଂଗ୍ରେସ ସରକାର ଆସିବାର ପ୍ରଥମ ଦିନରେ କେନ୍ଦ୍ରାପଡ଼ାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଘୋଷଣା କରାଯିବ।
ସେ କହିଲେ ଓଡ଼ିଶାର ଚାଷୀ ଆୟ ଭାରତ ବର୍ଷର ଦ୍ୱିତୀୟ ସର୍ବନିମ୍ନ। ଓଡ଼ିଶାର ଚାଷୀଟିଏ ପ୍ରତିଦିନ ୨୭ ଟଙ୍କା ପ୍ରତିପୋଷଣ କରେ। ମନମୋହନ ସିଂ ସରକାର ୭୨ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲା। ନବୀନ ସରକାର ଏକ ଚାଷୀ ବିରୋଧି ସରକାର ବୋଲି ଓଡ଼ିଶାର ଚାଷୀ ଅନୁଭବ କରିଛନ୍ତି।

ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପିସିସି ମୁଖପାତ୍ର ଅମୀୟ ପାଣ୍ଡବ, ପାଟକୁରା କଂଗ୍ରେସର ନେତା ଶ୍ରୀ ରତୀକାନ୍ତ କାନୁନ୍‌ଗୋ, ମତ୍ସ୍ୟଜୀବି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ହଳଧର ସେଠୀ, କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲଟିର ପୂର୍ବତନ ଅଧ୍ୟକ୍ଷ ଆକବର ଅଲ୍ଲୀ ପ୍ରମୁଖ ଉଦ୍‌ବୋଧନ ଦେଇ ପରିବର୍ତନର ଅଭିଯାନରେ ପାଟକୁରାବାସୀ ସାମିଲ ହେବାକୁ ଅନୁରୋଧ କରିଥିଲେ । ଡେରାବିଶ ବ୍ଲକ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲାବେଳେ ଯୁବନେତା ରାକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପିସିସି ପକ୍ଷରୁ ଜ୍ଞାନ ପଟ୍ଟନାୟକ, ତରୁଣକାନ୍ତ ମିଶ୍ର, ମିତ୍ରଭାନୁ ମହାପାତ୍ର, ପ୍ରଭାତ ପଟେଲ ସିଂ, ମିହିର ଆଚାର୍ଯ୍ୟ, ବିଶ୍ୱକଲ୍ୟାଣ କର, ନରୋତମ ନାୟକ, କୁସୁମ ପ୍ରଧାନ ଓ ବିନୋଦ ପାଣି ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button