ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ମନୋନୀତ କରାଯାଇଛି। ଏଥିସହ ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓରା ଉପମୁଖ୍ୟମନ୍ତ୍ରୀ ଓ ନରେନ୍ଦ୍ର ସିଂ ତୋମର ହେବେ ବିଧାନସଭା ବାଚସ୍ପତି।

ଖବର ଅନୁଯାୟୀ ସୋମବାର ମଧ୍ୟପ୍ରଦେଶ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଦଳର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ମୁଖ୍ୟ କେ ଲକ୍ଷ୍ମଣ ଓ ସମ୍ପାଦକ ଆଶା ଲାକ୍ରା ଉପସ୍ଥିତ ଥିଲେ।

ମଧ୍ୟପ୍ରଦେଶରେ ଡିସେମ୍ବର ୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ସପ୍ତାହକ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ମୋହନ ଯାଦବ ୧୯୬୫ ମସିହା ମାର୍ଚ୍ଚ ୨୫ରେ ମଧ୍ୟପ୍ରଦେଶର ଉଜ୍ଜୟୀନରେ ଜନ୍ମ ଗ୍ରହଣ କରିଥିଲେ। ବିଜେପିର ଏଇ ନେତା ରାଜନୀତି ବ୍ୟତୀତ ଜଣେ ବଡ଼ ବ୍ୟବସାୟୀ ଭାବେ ପରିଚିତ। ସେ ଉଜ୍ଜୈନ ଦକ୍ଷିଣରୁ ତୃତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି। ଏହାଛଡା ଜୁଲାଇ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଶିବରାଜ ସିଂ ଚୌହାନ କ୍ୟାବିନେଟରେ ମୋହନ ଶିକ୍ଷାମନ୍ତ୍ରୀ ଥିଲେ। ୨୦୧୩ ରୁ ଲଗାତାର ବିଧାୟକ ଅଛନ୍ତି।

ସୂଚନାଯୋଗ୍ୟ ୨୦୨୩ ନଭେମ୍ବର ୧୭ ତାରିଖରେ ମଧ୍ୟପ୍ରଦେଶରେ ୨୩୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ବିଜେପି ୧୬୩ଟି ଆସନ ଜିତିଥିବା ବେଳେ କଂଗ୍ରେସକୁ ମିଳିଛି ୬୬ ଟି ଆସନ।

Leave a Reply

Your email address will not be published. Required fields are marked *

Back to top button