ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ : ଅପରାଜିତା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହେଲେ ଚଳିବନି। ତାଙ୍କୁ ରାଜଧର୍ମ ପାଳନ କରିବାକୁ ହେବ। ଆମେ ସମସ୍ତେ ତାଙ୍କ ପାଖରୁ ଏହି ଆଶା କରୁଛୁ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଖବର ଅନୁଯାୟୀ ଗତକାଲି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଗିରିଙ୍ଗ ଛକରେ ମିଶନ ଶକ୍ତିର ମହିଳା ଓ ବିଜେଡି କର୍ମୀ ବିରୋଧ କରିଥିଲେ। କଳା ପତାକା ପଦର୍ଶନ ଓ ଟେକା ଓ ପଥର ଧରି ତାଙ୍କ ଗାଡ଼ି ଛାଡ଼ି ନଥିଲେ। ଏହି ଘଟଣାକୁ ନେଇ ଅପରାଜିତା ତାଙ୍କ ପୂର୍ବ ଟ୍ୱିଟ୍‌ରରେ ଲେଖିଛନ୍ତି ସଶକ୍ତୀକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ କାର୍ଯ୍ୟରେ ଲଗାଯାଉଛି। ମୁଁ ଜଣେ ନିର୍ବାଚିତ ମହିଳା ସାଂସଦ। ମୋ ଉପରେ ଆକ୍ରମଣ ଉଦ୍ୟମ ହେଉଛି। ଏହା କ’ଣ ପ୍ରକୃତ ମିଶନ ଶକ୍ତି କି ? ମାନ୍ୟବର ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନ ହୋଇ ରାଜଧର୍ମ ପାଳନ କରନ୍ତୁ। ସେମାନଙ୍କୁ ଏହି ବିଷୟରେ ପଚାରି ବୁଝିବା କଥା। ମିଶନ ଶକ୍ତି ମହିଳାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

ଅପରାଜିତା ପ୍ରଶ୍ନ କରିଛନ୍ତି ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଜେଡି ପକ୍ଷରୁ ଜାଣିଶୁଣି ଏଭଳି ବିରୋଧ ସହ ଅଣ୍ଡା, ଟେକା ଓ ପଥର ମାଡ଼ କରାଯିବା କେତେ ଯୁକ୍ତିଯୁକ୍ତ। ଗତକାଲିର ଘଟଣା ସଂପର୍କରେ ସେ ଫଟୋ ସମ୍ବଳିତ ପ୍ରମାଣପତ୍ର ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ଟେକା, ପଥର, ଅଣ୍ଡା ଓ କଳା ପତାକା ଧରିଥିବା ମହିଳାଙ୍କ ଫଟୋ ସେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ମୁଁ ସକାଳୁ ୭ଟାରୁ ରାତି ୧୨ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଛି ଓ ଲୋକଙ୍କୁ ଭେଟୁଛି। ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ମୋତେ ସୁରକ୍ଷା ଦିଆଯାଇଥାନ୍ତା ତାହାହେଲେ ଏପରି ହୋଇ ନଥା’ନ୍ତା। ମୁଁ ମହିଳା ଭାବେ ସୁରକ୍ଷିତ ନୁହେଁ ବୋଲି ଅପରାଜିତା କହିଛନ୍ତି।

ସୂଚନାଯୋଗ୍ୟ ଗତକାଲି ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ଛକରେ ବୁଥ୍ ବୈଠକରେ ଯୋଗଦେବାକୁ ଯାଇଥିଲେ ଅପରାଜିତା। କିନ୍ତୁ ପୂର୍ବରୁ ପ୍ରସ୍ତୁତ ବିଜେଡି କର୍ମୀ ଓ ମିଶନ ଶକ୍ତିର ମହିଳା ତାଙ୍କୁ ବିରୋଧ କରିଥିଲେ। ମିଶନ ଶକ୍ତିର ମହିଳା ଅଣ୍ଡା, ପଥର ମାଡ଼ କରିବା ସହ କଳା ପତାକା ପତାକା ପ୍ରଦର୍ଶନ କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାଜିତାଙ୍କ ସପକ୍ଷବାଦୀ ଗୋଷ୍ଠୀ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ସେଠାରେ ପୋଲିସ ପହଞ୍ଚିବା ପରେ ଅପରାଜିତା ବୈଠକକୁ ଯାଇଥିଲେ।

Leave a Reply

Your email address will not be published. Required fields are marked *

Back to top button