୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ସେପ୍ଟେମ୍ବର ୮ତାରିଖରେ ପ୍ରକାଶ ପାଇବ ଫଳାଫଳ। ଭାରତର ନିର୍ବାଚନ କମିସନ ଆଜି ଏହି ଘୋଷଣା କରିଛନ୍ତି ।
ଖବର ଅନୁଯାୟୀ ୭ଟି ବିଧାନସଭା ଆସନ ମଧ୍ୟରେ ରହିଛି ଉତ୍ତରପ୍ରଦେଶର ଘୋସି, ଉତ୍ତରାଖଣ୍ଡର ବାଗେଶ୍ୱର, ବଙ୍ଗଳାର ଧୁପଗୁଡ଼ି, ଝାଡ଼ଖଣ୍ଡର ଡୁମରୀ, କେରଳର ପୁଥୁପଲ୍ଲୀ, ତ୍ରିପୁରାର ବକ୍ସନଗର ଓ ଧନପୁର। ଏସବୁ ଆସନରେ ମତଦାନ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ୫ଟି ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ମୃତ୍ୟୁ ଓ ଅନ୍ୟ ୨ଟିରେ ପ୍ରାର୍ଥୀଙ୍କ ଇସ୍ତଫା ଯୋଗୁଁ ଏସବୁ ଆସନଗୁଡ଼ିକ ଖାଲି ପଡ଼ିଥିଲା।
ଏହି ଉପନିର୍ବାଚନ ପାଇଁ ୧୦ ଅଗଷ୍ଟରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମନୋନୟନ ପତ୍ର ଦାଖଲର ଶେଷ ତାରିଖ ୧୭ ଅଗଷ୍ଟ ରଖାଯାଇଥିବାବେଳେ ପ୍ରତ୍ୟାହାରର ଶେଷ ତାରିଖ ୨୧ ଅଗଷ୍ଟ ରହିଛି। ୫ ସେପ୍ଟେମ୍ବରରେ ଭୋଟ ଗ୍ରହଣ ଓ ୮ ସେପ୍ଟେମ୍ବରରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।