ହରିୟାଣାରେ ସାମ୍ପ୍ରଦାୟିକ ସଂଘର୍ଷ : ଗୁରୁଗ୍ରାମର ରେସ୍ତୋରାଁରେ ନିଆଁ ଲଗାଇଦେଲେ

ଗୁରୁଗ୍ରାମ : ହରିୟାଣାର ନୁହ ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦର ଏକ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଆଜି ଗୁରୁଗ୍ରାମ ବାଦଶାହପୁରରେ ଏକ ରେସ୍ତୋରାଁରେ ନିଆଁ ଲଗାଯିବା ସହିତ ଆଖପାଖ ଦୋକାନଗୁଡ଼ିରେ ଭଙ୍ଗାରୁଜା ହୋଇଛି।

ଖବର ଅନୁଯାୟୀ ଏହି ଅଞ୍ଚଳର କେତେକ ଯୁବକ ମସଜିଦ ସମ୍ମୁଖରେ ଥିବା ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟର ଦୋକାନ ଗୁଡ଼ିକରେ ବ୍ୟାପକ ଭଙ୍ଗାରୁଜା କରିଥିବା ବେଳେ ଜୟ ଶ୍ରୀରାମ ସ୍ଲୋଗାନ ଦେଇଥିଲେ। ପ୍ରାୟ ୫୦ରୁ ୬୦ଜଣ ଯୁବକ ପାର୍କିଂ ହୋଇଥିବା ଦୁଇ ଚକିଆ ଯାନକୁ ଭଙ୍ଗାରୁଜା କରିବାରୁ ବାଦଶାହପୁର ବଜାରକୁ ବନ୍ଦ କରିଦିଆ ଯାଇଥିଲା।

ସୋମବାରଠାରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡରେ ଜଣେ ଇମାମ ଓ ଦୁଇଜଣ ହୋମଗାର୍ଡଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ପରବର୍ତ୍ତୀ କିଛି ଘଣ୍ଟା ମଧ୍ୟରେ ଏହି ହିଂସା ନୁହରୁ ଗୁରୁଗ୍ରାମ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ନିହତ ଦୁଇ ହୋମଗାର୍ଡଙ୍କ ନାମ ନୀରଜ ଓ ଗୁରୁସେବକ ବୋଲି ଜଣାପଡିଛି। ଘଟଣା ସଂପର୍କରେ ଖବର ପାଇ ସେମାନେ ନୁହରେ ପହଞ୍ଚିବା ପରେ ଆକ୍ରମଣର ଶିକାର ହୋଇଥିଲେ। ଏହାଛଡା ନୁହର ଜଣେ ଦୋକାନୀ ଶକ୍ତି ଓ ଭିଏଚପି ଶୋଭାଯାତ୍ରାରେ ଭାଗ ନେଇଥିବା ପାନିପତର ଅଭିଷେକଙ୍କର ମୃତ୍ୟୁ ହୋଇଛି।

ନୁହରେ ସଂଘର୍ଷ ଘଟିବା ପରେ ଶକ୍ତି ଦୋକାନରୁ ଖସି ପଳାଇଥିଲେ ହେଁ ରାତିରେ ସେଠାକୁ ଫେରିଥିଲେ। କିନ୍ତୁ ମଙ୍ଗଳବାର ଦୋକାନରୁ ତାଙ୍କ ମୃତଦେହ ମିଳିଥିଲା। ଅଭିଷେକଙ୍କୁ ନଲହର ମେଡିକାଲ କଲେଜରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ଗୁରୁଗ୍ରାମ ସେକ୍ଟର ୫୭ରେ ଥିବା ଏକ ମସଜିଦ୍‌ର ଇମାମ ମହମ୍ମଦ ସାଦ୍‌ ଓ ଖୁର୍ସିଦ ନାମକ ଜଣେ ବ୍ୟକ୍ତଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଖୁର୍ସିଦଙ୍କ ଗୋଡ଼ରେ ଗୁଳି ବାଜବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁଗ୍ରାମ ଓ ବଂଫରିଦାବାଦର ସମସ୍ତ ସ୍କୁଲ ଓ କଲେଜକୁ ଆଜି ବନ୍ଦ କରି ଦିଆଯାଇଥିଲା। ଗୁରୁଗ୍ରାମ ଓ ନୁହରେ ଧାରା ୧୪୪ ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button