ଓଡିଶାରେ ନବୀନ ସବୁଠୁ ଲୋକପ୍ରିୟ, ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ଯୋଗୀ

ନୂଆଦିଲ୍ଲୀ : ଓଡିଶାରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗୀ ଲୋକପ୍ରିୟତାରେ ଦେଶର ନମ୍ବର ୱାନ। ସି-ଭୋଟର ଓ ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦି ନେସନ୍ ସର୍ଭେରୁ ଏହା ଜଣାପଡ଼ିଛି।

ଖବର ଅନୁଯାୟୀ ୨୦୨୩ ଜୁଲାଇ ୧୫ରୁ ଅଗଷ୍ଟ ୧୪ ମଧ୍ୟରେ କରାଯାଇଥିବା ଜନମତ ସର୍ଭେ ଫଳାଫଳ ଆଧାରରେ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଥିବାବେଳେ ତାଙ୍କ ପ୍ରତି ରାଜ୍ୟର ୬୧.୩ ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି। ତେବେ ଅଗଷ୍ଟ ୨୦୨୨ ସର୍ଭେରେ ୭୮.୧ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରିଥିଲେ। ୨୦୨୩ ଜାନୁଆରୀରେ ତାଙ୍କୁ ୭୩.୨ ପ୍ରତିଶତ ଭୋଟ୍ ମିଳିଥିଲା। ଏବେ ଏହି ସଂଖ୍ୟା ହ୍ରାସ ପାଇଥିଲେ ହେଁ ନିଜ ରାଜ୍ୟ ତଥା ଓଡିଶାରେ ସବୁଠାରୁ ପସନ୍ଦର ମୁଖ୍ୟମନ୍ତ୍ରୀ ହୋଇ ରହିଛନ୍ତି।

ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କୁ ତାଙ୍କ ରାଜ୍ୟର ୫୯.୧ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ବର୍ଷକ ତଳେ ତାଙ୍କୁ ୫୩.୩ ପ୍ରତିଶତ ଓ ୨୦୨୩ ଜାନୁଆରିରେ ୫୫.୭ ପ୍ରତିଶତ ଭୋଟ ମିଳିଥିଲା। ଅର୍ଥାତ୍ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଲୋକପ୍ରିୟତାର ଗ୍ରାଫ୍ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଚଳିତ ବର୍ଷ ଛତିଶଗଡ଼ ବିଧାନସଭା ନିର୍ବାଚନ ହେଉଥିବା ବେଳେ କଂଗ୍ରେସ ପାଇଁ ଏହା ଖୁସି ଖବର। ଏହି ବର୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କୁ ଦିଲ୍ଲୀର ୫୭.୭ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି। ୪ର୍ଥ ସ୍ଥାନରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ୫ମ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା।

ଅନ୍ୟପକ୍ଷରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସି-ଭୋଟର ଓ ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦି ନେସନ୍ ସର୍ଭେ ଅନୁଯାୟୀ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛନ୍ତି।ସର୍ଭେରେ ଭାଗନେଇଥିବା ଲୋକମାନଙ୍କୁ ଦେଶର ବିଭିନ୍ନ ରାଜ୍ୟର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ନାମ ଦିଆଯାଇ ଲୋକପ୍ରିୟତା ଅନୁସାରେ ରେଟିଂ କରିବାକୁ କୁହାଯାଇଥିଲା। ସେହି ଅନୁସାରେ ୪୩ ପ୍ରତିଶତ ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ଏକ ନମ୍ବର ମୁଖ୍ୟମନ୍ତ୍ରୀର ମାନ୍ୟତା ଦେଇଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କୁ ଲୋକେ ୧୯ ପ୍ରତିଶତ ଭୋଟ୍ ଦେଇଥବା ବେଳେ ୩ୟ ଓ ୪ର୍ଥ ସ୍ଥାନରେ ଯଥାକ୍ରମେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍। ହେଲେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ୫ମ ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ମାତ୍ର ୩ ପ୍ରତିଶତ ଭୋଟ ମିଳିଥିବା ସର୍ଭେରୁ ଜଣାପଡ଼ପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button