ଲକ୍ଷ୍ମୀ ଯୋଜନା ଉପରେ ଲାଗିଲା କ୍ୟାବିନେଟ୍‌ ମୋହର, ଉଚ୍ଛେଦ ହେବ ୩୫ଟି ଟୋଲ୍‌ ଗେଟ୍‌

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଲୋକେସନ୍‌ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍‌ ଇନିସିଏଟିଭ୍‌ (ଲକ୍ଷ୍ମୀ) ଯୋଜନା ଉପରେ ଆଜି କ୍ୟାବିନେଟର ମୋହର ଲାଗିଛି। ଏହାଛଡା ୩୫ଟି ଟୋଲ୍‌ ଗେଟ୍‌ ଉଚ୍ଛେଦ ପ୍ରସ୍ତାବକୁ ମିଳିଛି ଅନୁମୋଦନ।

ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସୂଚନା ଅନୁସାରେ ଲୋକେସନ୍‌ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍‌ ଇନିସିଏଟିଭ୍‌ (ଲକ୍ଷ୍ମୀ) ଯୋଜନାରେ ନିର୍ଭରଯୋଗ୍ୟ ଓ ସୁଲଭ ସେବା ମିଳିବ। ଗ୍ରାମପଞ୍ଚାୟତସ୍ତରରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଏକ ନିରବଚ୍ଛିନ୍ନ ସାର୍ବଜନୀନ ପରିବହନ ସେବା ପ୍ରଦାନ କରିବ। ଏହି ଯୋଜନା ଅଧିନରେ ମହିଳା ସଶକ୍ତୀକରଣକୁ ପ୍ରାଥମିକତା ଦିଆଯିବ। ମିସନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହନ କରାଯିବ। ସେମାନଙ୍କୁ ବିଭିନ୍ନ କାର୍ଯ୍ୟ ସହିତ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ କରାଯିବ। ଏଥିସହିତ ବ୍ଲକଗୁଡ଼ିକରେ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବା କର୍ମକ୍ଷେତ୍ରରେ ବିଭିନ୍ନ ନିରାପଦ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ।

ସେହିପରି ରାଜ୍ୟ ସରକାର ଖରିଫ ଓ ରବି ଋତୁରେ ଧାନ ସଂଗ୍ରହ ପାଇଁ ନୂଆ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୩-୨୪କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଚଳିତବର୍ଷ ଅକ୍ଟୋବର ପହିଲାରୁ ୨୦୨୪ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୩-୨୪ ବଳବତ୍ତର ରହିବ । ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ ଧାନ ଓ ୨୦୨୪ ମେ ଓ ଜୁନ୍ ମାସରେ ରବି ଋତୁ ଧାନ ସଂଗ୍ରହ କରାଯିବ। ତେବେ ପଞ୍ଜିକୃତ ଚାଷୀମାନେ ଯଦି ଧାର୍ଯ୍ୟଲକ୍ଷ୍ୟ ୭୯ଲକ୍ଷ ମେଟ୍ରିକ ଟନଠୁ ଅଧିକ ଧାନ ମଣ୍ଡିକୁ ଆଣିବେ ତାକୁ ରାଜ୍ୟ ସରକାର କ୍ରୟ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। କେବଳ ପଞ୍ଜିକୃତ ଚାଷୀଙ୍କଠୁ ବଳକା ଧାନ ସଂଗ୍ରହ କରାଯିବ ଓ ଧାନ ବିକ୍ରି ପାଇଁ ଆଧାର ଏକମାତ୍ର ପରିଚୟ ପତ୍ର ହେବ। ଚାଷୀଙ୍କ ବାୟୋମେଟ୍ରିକ ଚିହ୍ନଟୀକରଣ ବ୍ୟବସ୍ଥା କରାଯିବ। ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ସାଧାରଣ ଧାନ ଓ ଗ୍ରେଡ-ଏ ଧାନ ପାଇଁ ଯଥାକ୍ରମେ ୨୧୮୩ ଟଙ୍କା ଓ ୨୨୦୩ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବ। ଖିଲାପୀ ମିଲରଙ୍କୁ ଚଳିତଥର ଧାନ ସଂଗ୍ରହ ପାଇଁ ଅନୁମତି ଦିଆଯିବ ନାହିଁ। ପି-ପାସ୍ ମାଧ୍ୟମରେ ଚାଷୀଙ୍କୁ ୪୮ଘଣ୍ଟା ମଧ୍ୟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଏହାଛଡା ରାଜ୍ୟ ପୂର୍ତ୍ତ ଓ ଆର୍‌ଡି ବିଭାଗ ଅଧୀନ ୩୫ଟି ଟୋଲ୍‌ ଗେଟ୍‌ ଉଚ୍ଛେଦ ହେବ। ଏହି ଟୋଲ ଗେଟଗୁଡ଼ିକ ଏବେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ହେଉଛି। ଏହାଛଡା ଭୁବନେଶ୍ୱରସ୍ଥିତ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ସ୍ୱତନ୍ତ୍ର ଆଇନ, ବ୍ରହ୍ମପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଏନଆଇଏସଟି)କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେହିପରି ଅର୍ଥ ବିଭାଗର ଦୁଇଟି ପ୍ରସ୍ତାବ ଯଥା ଓଡ଼ିଶା ଜିଏସଟି ଆଇନ-୨୦୧୭ର ସଂଶୋଧନ ଏବଂ ଓଡ଼ିଶା ବେସାମରିକ ପ୍ରଶାସନିକ ସେବା (ପେନସନ) ରୁଲସ-୧୯୯୨ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଫଳରେ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ଚୂଡ଼ାନ୍ତ ପେନସନ୍ ପ୍ରଦାନ ପ୍ରକ୍ରିୟାକୁ ସରଳ କରାଯାଇଛି। ଅବସର ନେବାର ୬ମାସ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ଓ ପେନସନ ପ୍ରଦାନରେ ବିଳମ୍ବ ପାଇଁ ସମ୍ପୃକ୍ତ ଅଫିସରଙ୍କ ଦାୟୀ ରହିବେ। ବୈଠକ ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଉନ୍ନୟନ କମିସନର ତଥା ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button