ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ଜଣ ଗିରଫ

ଭୁବନେଶ୍ଵର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ବା ଓଏସଏସସି ଦ୍ୱାରା ପରିଚାଳିତ ଜେଇ (ମେନ୍) ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ଆଉ ୮ ଜଣ ଗିରଫ। ଏମାନଙ୍କ ମଧ୍ୟରେ ଦୁଇଜଣ ଶିକ୍ଷକ ଅଛନ୍ତି। ସେମାନେ ହେଲେ ଅଜୟ କୁମାର ବିଶ୍ୱାଳ ଓ ବିଜୟ କୁମାର ମଲ୍ଲିକ। ଭଦ୍ରକ ବାସୁଦେବପୁର ବ୍ଳକ୍ ପଦମପୁର ଜେ.କେ ସରକାରୀ ନୋଡାଲ ହାଇସ୍କୁଲର ଶିକ୍ଷକ ଅଜୟ କୁମାର ବିଶ୍ୱାଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।
ଖବର ଅନୁଯାୟୀ ଅଜୟ କୁମାର ବିଶ୍ୱାଳ ଓ ବିଜୟ କୁମାର ମଲ୍ଲିକଙ୍କ ବ୍ୟତୀତ ବାଲେଶ୍ୱର ପୋଲିସ ଗିରଫ କରିଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ ଶାନ୍ତନୁ ମିଶ୍ର, ସନ୍ଦୀପ କୁମାର ମହାନ୍ତି, ପ୍ରଦୀପ ଶତପଥୀ, ନିରଞ୍ଜନ ବେହେରା, ରାଜୀବ ଲୋଚନ ସାହୁ ଓ ସପନ କୁମାର ରାଉତ। ଏମାନେ ପ୍ରଶ୍ନପତ୍ର ଯୋଗାଇ ଦେବା ପାଇଁ ପ୍ରାର୍ଥୀମାନଙ୍କ ସହ ଯୋଗାଯୋଗ କରିଥିଲେ।
ବାଲେଶ୍ୱର ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ମୁଖ୍ୟତଃ ଦୁଇଟି ଉପାୟରେ ପରୀକ୍ଷାର୍ଥୀମାନଙ୍କ ସହିତ ଯୋଗାଯୋଗ କରାଯାଉଥିଲା। ‘ମ୍ୟାନ୍ପାୱାର କନ୍ସଲଟାନ୍ସି ସର୍ଭିସେସ’ ଓ ହ୍ଟାଟ୍ସ ଆପ୍ ଏବଂ ଟେଲିଗ୍ରାମ ଭଳି ସୋଶାଲ ମିଡିଆରେ ଥିବା ବିଭିନ୍ନ ପ୍ରକାରର ‘ଅନ୍ଲାଇନ୍ ଷ୍ଟଡି ଗ୍ରୁପ୍ସ’ ମାଧ୍ୟମରେ ପରୀକ୍ଷାର୍ଥୀଙ୍କ ସହିତ ଯୋଗାଯୋଗ କରାଯାଉଥିଲା। ଏହି ରାକେଟ ସହିତ ସଂପୃକ୍ତ ଆହୁରି କିଛି ଲୋକ (ଉଭୟ ରାଜ୍ୟ ଓ ରାଜ୍ୟ ବାହାରର)ଙ୍କୁ ଚିହ୍ନଟ କରାଯାଇଛି। ତଦନ୍ତ ଆଗେଇବା ସହିତ ଏହି ମାମଲାରେ ଆହୁରି କିଛି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।