ଦୁଇଦିନ ପାଣିରେ ବୁଡ଼ି ରହିଥିବା ମହିଳା ଜୀବିତ ଉଦ୍ଧାର

କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହା ପ୍ରମାଣିତ ହୋଇଛି ଆମେରିକାର ଟେକ୍ସାସ୍ରେ। ଦୁଇଦିନ ପାଣିରେ ବୁଡ଼ି ରହିବା ପରେ ମଧ୍ୟ ଜୀବତ ଉଦ୍ଧାର ହୋଇଛନ୍ତି ଜଣେ ମହିଳା। ଯାହା ଚର୍ଚ୍ଚାର ବିଷୟ ହୋଇଛି।
ଆମେରିକାର ଟେକ୍ସାସ୍ରେ ଦେଖିବାକୁ ମିଳିଛି ଏପରି ଆଶ୍ଚର୍ଯ୍ୟଜଣକ ଘଟଣା। ଅପ୍ରେଲ ୫ ତାରିଖ ଦିନ ମହିଳା ଜଣକ ଜିପ୍ ସହ ପାଣି ଭିତରକୁ ଖସିପଡ଼ିଥିଲେ। ଅନେକ ଖୋଜା ଖୋଜି କରିବା ପରେ ତାଙ୍କର କୋଣସି ସନ୍ଧାନ ନ ମିଳିବାରୁ ଟେକ୍ସାସ ପୋଲିସ ନିଖୋଜ ତାଲିକାରେ ମହିଳାଙ୍କ ନାଁ ସାମିଲ କରିଥିଲା
ଘଟଣାର ଦୁଇଦିନ ପରେ କିଛି ମାଛ ଧରାଳିଙ୍କୁ ମହିଳାଙ୍କ ଜିପ୍ ମିଳିଥିଲା। ମତ୍ସ୍ୟଜୀବୀମାନେ ଦେଖିଲେ ଆକାତକାତ ପାଣି ଭିତରେ ପଡ଼ିଥିବା ଗାଡ଼ିର ଡ୍ରାଇଭର ସିଟ୍ରେ ମହିଳା ଜଣକ ବସିଛନ୍ତି। ଏହି ଖବର ପାଇ ଅଫିସରମାନେ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଯେତେବେଳେ ଜିପ୍କୁ କୂଳ ପର୍ଯ୍ୟନ୍ତ ଅଣାଗଲା ସେତେବେଳେ ଦେଖାଗଲା ଜଣେ ମହିଳା ଗାଡ଼ିର ସିଟ୍ରେ ବସିଛନ୍ତି। ସମସ୍ତେ ଭାବିଥିଲେ ଦୁଇଦିନ ପାଣିରେ ବୁଡ଼ି ରହିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବ। ହେଲେ ତାଙ୍କୁ ଜୀବିତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।
ପୋଲିସ ପକ୍ଷରୁ ଏ ସମ୍ପର୍କରେ ସଂପୂର୍ଣ୍ଣ ସୂଚନା ଦିଆଯାଇଛି। ପୋଲିସ କର୍ମୀ ଓ ମତ୍ସଜୀବୀଙ୍କ ସହଯୋଗରେ ଜିପ୍ ଓ ମହିଳା ଉଭୟଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ମହିଳାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇ ପୋଲିସ ପକ୍ଷରୁ ଘଟଣାର ଦୁଇଟି ଫଟୋ ଜାରି କରାଯାଇଛି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।