ବଜାରକୁ ଆସିଲା ଗିଅରଯୁକ୍ତ ଇଲେକ୍ଟ୍ରିକ୍ ବାଇକ୍

ଅହମ୍ମଦାବାଦ : ଇଲେକ୍ଟ୍ରିକ ବାଇକ ନିର୍ମାଣ କରୁଥିବା ଅହମ୍ମଦାବାଦର ଏକ ଷ୍ଟାର୍ଟ ଅପ୍ ‘ମ୍ୟାଟର ମୋଟର’ ପକ୍ଷରୁ ଦେଶର ପ୍ରଥମ ଗିୟରଯୁକ୍ତ ବାଇକ୍ ‘ଏରା’ ଲଞ୍ଚ୍ କରାଯାଇଛି। ଆସନ୍ତା ୧୭ ତାରିଖରୁ ଏହି ବାଇକର ବୁକିଂ ଆରମ୍ଭ ହେବ। ଏହାଛଡା କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି।

କମ୍ପାନୀର ଘୋଷଣା ଅନୁଯାୟୀ ପ୍ରଥମ ୯୯୯୯ ଗ୍ରାହକଙ୍କୁ ମିଳିବ ୫ ହଜାର ଟଙ୍କାର ରିହାତି। ସେମାନଙ୍କ ପାଇଁ ବୁକିଂ ରାଶି ହେବ ୧,୯୯୯ ଟଙ୍କା। ସେହିପରି ୧୦୦୦୦ ରୁ ୨୯୯୦୦ ଗ୍ରାହକଙ୍କ ପାଇଁ ଅଢେଇ ହଜାର ଟଙ୍କାର ରିହାତି ମିଳିବ। ସେମାନଙ୍କୁ ବୁକିଂ ପାଇଁ ୨୯୯୯ ଟଙ୍କା ଦେବାକୁ ହେବ।

କମ୍ପାନୀ ଏହାକୁ ୪ଟି ଭାରିଏଣ୍ଟରେ ଲଞ୍ଚ କରିଛି। ସେଗୁଡ଼ିକର ଏକ୍ସ ସୋ’ରୁମ୍ ମୂଲ୍ୟ ୧,୪୩,୯୯୯ ଟଙ୍କାରୁ ୧,୫୩,୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ରଥମ ତିନୋଟି ଭାରିଏଣ୍ଟ ଗୋଟିଏ ଚାର୍ଜରେ ୧୨୫ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଉଥିବା ବେଳେ ମ୍ୟାଟର ୬୦୦୦ ପ୍ଲସ ଗ୍ରାହକଙ୍କୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ । ବର୍ତମାନ ଏହି ଇଲେକ୍ଟ୍ରିକ୍ ବାଇକର ମାତ୍ର ୫୦୦୦ ଓ ୫୦୦୦ ପ୍ଲସ ଭାରିଏଣ୍ଟ ଲଞ୍ଚ କରାଯାଇଛି।

ଇ-ବାଇକ୍ ସହ ମିଳୁଥିବା ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି ଏହାର ମାନୁଆଲ୍ ଟ୍ରାନ୍ସମିସନ। ଅର୍ଥାତ୍ ଇଲେକ୍ଟ୍ରିକ୍ ବାଇକ୍ ହୋଇଥିଲେ ମଧ୍ୟ ଗ୍ରାହକମାନେ ଏହାକୁ ସାଧାରଣ ମୋଟରସାଇକେଲ୍ ଭଳି ଗିଅର୍ କରିପାରିବେ। ଏହି ଫିଚର ସହ ଏହା ଭାରତର ପ୍ରଥମ ଇଲେକ୍ଟ୍ରିକ୍ ବାଇକ ପାଲଟିଛି।

Leave a Reply

Your email address will not be published. Required fields are marked *

Back to top button