ଶିବ ମନ୍ଦିରରେ ଗଞ୍ଜେଇ ବ୍ୟବହାର ନିଷେଧ ହେବ

ଭୁବନେଶ୍ଵର : ଓଡ଼ିଶାର ସମସ୍ତ ଶୈବ ପୀଠରେ ଗଂଜେଇ ବ୍ୟବହାର ନିଷେଧ ହେବ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଏନେଇ ଚିଠି ଲେଖିଛି। ଶୈବ ପୀଠ ଗୁଡିକରେ ଗଂଜେଇ ବ୍ୟବହାର ନିଷେଧ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଶୈବପୀଠରେ ଗଞ୍ଜେଇ ନିଷେଧ କରିବାକୁ ଅନନ୍ତ ବଳିଆ ଟ୍ରଷ୍ଟର ପୂଜ୍ୟପୂଜକ ବଳିଆ ଚିଠି ଲେଖି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଦର୍ଶାଇଥିଲେ ଶୈବପୀଠ ଗୁଡିକରେ ଗଞ୍ଜେଇର ବ୍ୟବହାର ଯୋଗୁଁ ପରିବେଶ ଦୂଷିତ ହେଉଛି। ଭକ୍ତମାନେ ସେମାନଙ୍କର ମନୋକାମନା ପୂରା କରିବାକୁ ଠାକୁରଙ୍କୁ ଗଞ୍ଜେଇ ଯାଚଣା କରୁଥିବାରୁ ସେଠାରେ ତାହାର ବହୁଳ ବ୍ୟବହାର ହେଉଛି। ତେଣୁ ଗଞ୍ଜେଇ ବ୍ୟବହାର ଉପରେ କଟକଣା ଲାଗୁ କରାଯାଉ। ଚିଠିର ଗୁରୁତ୍ଵକୁ ଉପଲବ୍ଧି କରି ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି।




























