ଏଡିଆର୍‌ ରିପୋର୍ଟ : ବିଜେଡିକୁ ଅଜଣା ସୂତ୍ରରୁ ମିଳିଛି ୨୯୧ କୋଟି

ଭୁବନେଶ୍ଵର : ଦେଶର ଆଞ୍ଚଳିକ ଦଳଗୁଡ଼ିକର ପାଣ୍ଠି ଉତ୍ସ ସଂପର୍କରେ ଆସୋସିଏସନ୍ ଫର୍‌ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍‌)ର ୨୦୨୧-୨୨ ଆର୍ଥିକ ବର୍ଷର ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଅଜଣା ସୂତ୍ରରୁ ସର୍ବାଧିକ ୩୦୬.୦୨୫ କୋଟି ଟଙ୍କା ଆଞ୍ଚଳିକ ଦଳ ଡିଏମ୍‌କେକୁ ମିଳିଛି। ବିଜେଡି ପାଇଛି ୨୯୧.୦୯୬ କୋଟି ଟଙ୍କା।

ଏଡିଆର୍‌ ରିପୋର୍ଟ ଅନୁଯାୟୀ ନିର୍ବାଚନ କମିସନଙ୍କ ନିକଟରେ ରାଜନୈତିକ ଦଳଗୁଡ଼ିକ ଦାଖଲ କରିଥିବା ତଥ୍ୟରୁ ଜଣାପଡିଛି ଦେଶର ୨୭ଟି ଆଞ୍ଚଳିକ ଦଳ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧୧୬୫.୫୭୬ କୋଟି ଟଙ୍କା ପାଇଛନ୍ତି। ଏଥିରୁ ଦାତାଙ୍କ ସଂପର୍କରେ ତଥ୍ୟ ଥିବା ସୂତ୍ରରୁ ଆସିଛି ମାତ୍ର ୧୪୫.୪୨ କୋଟି ଟଙ୍କା ବା ୧୨.୪୭୬ ପ୍ରତିଶତ। ଅନ୍ୟ ଜଣା ଉତ୍ସରୁ ଯଥା ସଦସ୍ୟତା ଫି, ବ୍ୟାଙ୍କ ସୁଧ ଆଦି ବାବଦରେ ୧୩୨.୬୦୫ କୋଟି ବା ୧୧.୩୭୭ ପ୍ରତିଶତ ଆସିଛି। ଏହି ଦୁଇଟି ଉତ୍ସରୁ ୨୩.୮୫୩ ପ୍ରତିଶତ ଅର୍ଥ ଆସିଥିବା ବେଳେ ଅବଶିଷ୍ଟ ୮୮୭.୫୫୧ କୋଟି ଟଙ୍କା ବା ମୋଟ ଆୟର ୭୬.୧୪୭ ପ୍ରତିଶତ ଅଜଣା ସୂତ୍ରରୁ ଆସିଛି। ଆଞ୍ଚଳିକ ଦଳଗୁଡ଼ିକ ଅଜଣା ସୂତ୍ରରୁ ପାଇଥିବା ୮୮୭.୫୫୧ କୋଟି ଟଙ୍କା ମଧ୍ୟରୁ ନିର୍ବାଚନୀ ବଣ୍ଡ୍‌ ଜରିଆରେ ୯୩.୨୬ ପ୍ରତିଶତ ବା ୮୨୭.୭୬ କୋଟି ଟଙ୍କା ପାଇଛନ୍ତି। ଏଥିସହିତ କୁପନ ବିକ୍ରି କରି ୪.୩୨ ପ୍ରତିଶତ ବା ୩୮.୩୫୪ କୋଟି ଟଙ୍କା, ସ୍ଵେଚ୍ଛାକୃତ ଦାନ (୨୦ ହଜାର ଟଙ୍କାରୁ କମ୍‌) ବାବଦରେ ୨.୪୦ ପ୍ରତିଶତ ବା ୨୧.୨୯୩ କୋଟି ଟଙ୍କା ଏବଂ ବିବିଧ ଆୟ ବାବଦରେ ୦.୧୪୪ କୋଟି ବା ୦.୦୨ ପ୍ରତିଶତ ପାଇଛନ୍ତି।

ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଡିଏମ୍‌କେ ଅଜଣା ସୂତ୍ରରୁ ସର୍ବାଧିକ ଅର୍ଥ ପାଇଛି। ଏହା ପଛକୁ ରହିଛି ବିଜୁ ଜନତା ଦଳ ବା ବିଜେଡି। ଡିଏମକେ ୩୦୬.୦୨୫ କୋଟି ଓ ବିଜେଡି ୨୯୧.୦୯୬ କୋଟି ଟଙ୍କା ମିଳିଛି। ସେହିପରି ଟିଆରଏସ୍‌ ୧୫୩.୦୩୭ କୋଟି, ୱାଇଏସ୍‌ଆର୍‌ କଂଗ୍ରେସ ୬୦.୦୧୬୮ କୋଟି ଓ ଜେଡିୟୁ ୪୮.୩୬୧୭ କୋଟି ଟଙ୍କା, ଶିରୋମଣି ଅକାଳୀ ଦଳ ୧୨.୦୭୩୫ କୋଟି, ଏମଏନଏସ ୫.୦୪୫୪ କୋଟି, ଟିଡିପି ୩.୬୪୮୫, ସପା ୩.୫୪୭୭ କୋଟି ଏବଂ ଜେଏମଏମକୁ ଅଜଣା ସୂତ୍ରରୁ ୨.୧୦୪ କୋଟି ଟଙ୍କା ମିଳିଛି।

Leave a Reply

Your email address will not be published. Required fields are marked *

Back to top button