ଜାଲ ସାର୍ଟିଫିକେଟ ମାମଲାରେ ୩ ପୋଷ୍ଟ ମାଷ୍ଟର ବହିଷ୍କୃତ

କେନ୍ଦ୍ରାପଡା : ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ୩ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଏପ୍ରିଲ ୪ ତାରିଖରେ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ଏମାନେ ହେଲେ ପ୍ରସନ୍ନ ସେଠୀ, ସୌମ୍ୟରଞ୍ଜନ ସେଠୀ ଓ ମାମାଶ୍ରୀ ଭାରତି। ସମସ୍ତଙ୍କ ଘର ଭଦ୍ରକର ଅଞ୍ଚଳରେ ବୋଲି କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ ଦେବରାଜ ସେଠି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ପ୍ରସନ୍ନ ସେଠୀ ୨୦୨୨ ମସିହା ସେପ୍ଟେମ୍ବର ୯ତାରିଖରୁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆ କଦଳିବଣରେ ବ୍ରାଞ୍ଚ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଯାଞ୍ଚ ବେଳେ ଧରାପଡ଼ିଥିଲା। ସେହିପରି ୨୦୨୨ ସେପ୍ଟେମ୍ବର ୯ତାରିଖରୁ ସୌମ୍ୟରଞ୍ଜନ ସେଠୀ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନରସିଂହପୁର ଡିହପଡ଼ାର ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଉପରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ହୋଇଛି। ମାମାଶ୍ରୀ ଭାରତି ୨୦୨୧ ଜାନୁଆରୀ ୨୯ ତାରିଖରେ କୁଦାନଗରୀ ଥାନାର ଧାରିବିଲ ଅଞ୍ଚଳରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ସେ ଦୁଇବର୍ଷ ୪ମାସ ଚାକିରି କରିଥିଲେ ହେଁ ବହିଷ୍କୃତ ହୋଇଛନ୍ତି।

ଉତ୍ତର ପ୍ରଦେଶରୁ ଆଣିଥିବା ଜାଲ ସାର୍ଟିଫିକେଟ ଦେଇ ଏ ତିନିଜଣ ଚାକିରି କରିଥିଲେ। ମାମଲା ପରଠାରୁ ଫେରାର ହେବାରୁ କେନ୍ଦ୍ରପଡ଼ା ଟାଉନ ଥାନାରେ ସେମାନଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଆଗକୁ ଆହୁରି ଅନେକ ଲୋକଙ୍କ ନାଁ ଆସିପାରେ ବୋଲି କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button