ଝାରସୁଗୁଡ଼ାରେ ବିକାଶଧାରାକୁ ବିଜେଡି ଆଗେଇ ନେବ : ନବୀନ

ଭୁବନେଶ୍ଵର : ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ବିଜୟ ପରେ ଆଜି ସନ୍ଧ୍ୟାରେ ବି‌ଜୁ ଜନତା ଦଳ ବିଜୟ ଦିବସ ପାଳନ କରିଛି। ଶଙ୍ଖ ଭବନରେ ଆୟୋଜିତ ସମାରୋହରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପାଇଁ ସେ ସର୍ବପ୍ରଥମେ ଝାରସୁଗୁଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଏହା ଝାରସୁଗୁଡ଼ାବାସୀଙ୍କର ବିଜୟ। ଏହି ବିଜୟ ପାଇଁ ଝାରସୁଗୁଡ଼ାବାସୀଙ୍କ ନିକଟରେ ମୁଁ ଓ ବିଜେଡି ଋଣୀ। ଯେଉଁମାନେ କର୍ମୀମାନେ ଖରା ଓ ଗରମକୁ ଖାତିର ନକରି ପରିଶ୍ରମ ଓ ତ୍ୟାଗ କରିଥି‌ଲେ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଝାରସୁଗୁଡ଼ା ପାଇଁ ନବ ଦାସ ଆରମ୍ଭ କରିଥିବା ବିକାଶଧାରାକୁ ବିଜେଡି ଆଗେଇ ନେବ।

ବିଜେଡି ସୁପ୍ରିମୋ ନବୀନ କହିଲେ ପଦ୍ମପୁର ଉପନିର୍ବାଚନ‌ ବେଳେ ବିରୋଧୀ ଦଳ ଆମର ମା’ମାନଙ୍କୁ ଅପମାନ କରିଥିଲେ। ଖରାପ ଭାଷାରେ ଗାଳି ଦେଇଥିଲେ। ପଦ୍ମପୁର ହେଉ ଅଥବା ଝାରସୁଗୁଡ଼ାରେ ହେଉ, ଯେଉଁମାନେ ଏଭଳି ଗାଳି କରିଛନ୍ତି ସେମାନଙ୍କୁ ଉପନିର୍ବାଚନରେ ସଠିକ୍‌ ଜବାବ ମିଳିଛି। ଝିଅମାନେ ଆମର ଗର୍ବ। ବିଜେଡି ସବୁବେଳେ ମା’ମାନଙ୍କୁ ସମ୍ମାନ ଦେଇ ଆସିଛି। ସେମାନଙ୍କର ଅଧିକାର ପାଇଁ ମିଶନ ଶକ୍ତି ଗଢ଼ିଛି। ହାଣ୍ଡିଶାଳର ୪ କାନ୍ଥ ଭିତରୁ ମା’ମାନେ ବାହାରି ଆସି ଆତ୍ମନିର୍ଭରଶୀଳ ହୋଇଛନ୍ତି। ମିଶନଶକ୍ତି ମାଧ୍ୟମରେ ମା’ମାନଙ୍କୁ ସଶକ୍ତ କରାଯାଇପାରିଛି। ମହିଳାଙ୍କ ଅଧିକାର ପାଇଁ ବିଜେଡି କାମ କରୁଛି।

Leave a Reply

Your email address will not be published. Required fields are marked *

Back to top button