ବଢିଲା ହରିଶ୍ଚନ୍ଦ୍ର ସହାୟତା ଯୋଜନା ରାଶି

ଭୁବନେଶ୍ଵର : ଗରିବ ଲୋକମାନେ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ଯୋଜନା ଆରମ୍ଭ କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସହାୟତା ରାଶି ବୃଦ୍ଧି କରାଯାଇଛି।

ଖବର ଅନୁଯାୟୀ ରାଜ୍ୟ ସରକାର ଆରମ୍ଭ କରିଥିବା ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ଆର୍ଥିକ ସହାୟତା ଘୋଷଣା କରଯାଇଥିଲା। ଏବେ ଗ୍ରାମାଞ୍ଚଳ ପାଇଁ ଦୁଇ ହଜାର ପରିବର୍ତ୍ତେ ମିଳିବ ତିନି ହଜାର ଟଙ୍କା। ଆଉ ସହରାଞ୍ଚଳ ଓ ପୁରୀ ସ୍ଵର୍ଗଦ୍ଵାର ଲାଗି ତିନି ହଜାର ବଦଳରେ ଚାରି ହଜାର ଟଙ୍କା ପ୍ରଦାନ କରାଯିବ। ଏଥିନିମନ୍ତେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ୧୫ ହଜାର ଟଙ୍କା ଲେଖାଏ ଅର୍ଥ ରହିବ।

ସୂଚନାଯୋଗ୍ୟ ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି। ସାରା ରାଜ୍ୟର ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି। ଏହାଛଡା ଏହି ନୂତନ ପ୍ରକ୍ରିୟାକୁ ତଦାରଖ କରିବାକୁ ଗ୍ରାମ ପଞ୍ଚାୟତ ଏକ୍‌ସଟେନସନ୍‌ ଅଫିସର କିମ୍ବା ଅନ୍ୟ କୌଣସି ବ୍ଲକସ୍ତରୀୟ ଏକ୍‌ସଟେନସନ୍‌ ଅଫିସର ଦାୟିତ୍ଵ ତୁଲାଇବେ। ବର୍ଦ୍ଧିତ ସହାୟତା ପାଇଁ ଯୋଜନାର ସଫ୍ଟୱାରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହିତ ଜିଲ୍ଲାୱାରୀ ଗ୍ରାମପଞ୍ଚାୟତ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button