ବିଜେଡି-ବିଜେପି ମୁକ୍ତ ପ୍ରସଙ୍ଗ : ଲେଖାଶ୍ରୀ ଓ ପ୍ରମିଳା ମୁହାଁମୁହିଁ

ଭୁବନେଶ୍ଵର : ବିଜେଡି ମୁକ୍ତ ଓଡିଶା ଓ ବିଜେପି ମୁକ୍ତ ଭାରତ ପ୍ରସଙ୍ଗକୁ ନେଇ ଆଜି ଉଭୟ ଦଳର ଦୁଇ ନେତ୍ରୀ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ଲୋକେ ଏହାକୁ ଗ୍ରହଣ କରୁନାହାନ୍ତି। ସେମାନେ କହୁଛନ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କୋଳାକୋଳି। ଏମାନେ ତୁଚ୍ଛାଟାରେ ବୟାନବାଜି କରୁଛନ୍ତି। ସେମାନେ କହିବାର କାରଣ କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା ନିମନ୍ତେ ବିରୋଧିଦଳ ଗୁଡିକ ଏକଜୁଟ ପାଇଁ ଯୋଜନା ଚଳାଇଛନ୍ତି। ସେହିଭଳି ସମୟରେ ବିଜେଡି ସୁପ୍ରିମୋ ନବୀନ କେନ୍ଦ୍ରରେ ମୋଦି ସରକାର ଆଉଥରେ ଆସିବ ବୋଲି ସଂକେତ ଦେଇଛନ୍ତି। ଆଉ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀକ୍ଷେତ୍ର ଆସି ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରର ଲୋକାର୍ପଣ କରିବେ। ମୋଦିଙ୍କ ନେତୃତ୍ୱରେ ମିଳିବ ବୁଲେଟ୍ ଟ୍ରେନ। ନବୀନ ଏପରି ଇଚ୍ଛା ବ୍ୟକ୍ତ କରିବାର ଉଦ୍ଦେଶ୍ୟ କ’ଣ ?

ଭୁବନେଶ୍ୱରରେ ଅନୁଷ୍ଠିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ବିଜେପି ରାଜ୍ୟ ସାଧାରଣ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର। ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ୨୦୨୪ ପାଇଁ କାର୍ଯ୍ୟକାରିଣୀରେ ଦଳ ଋଣନୀତି ପ୍ରସ୍ତୁତ କରୁଛି। କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ଆଧାର କରି ଭାରତୀୟ ଜନତା ପାର୍ଟି ଘରକୁ ଘର ଯିବ। ବିଜେଡି ମୁକ୍ତ ଓଡ଼ିଶା ଗଠନ କରିବା ବିଜେପି ସଂକଳ୍ପବଦ୍ଧ। ଏହାକୁ ନେଇ ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି।

ବିଜେପି ନେତ୍ରୀ ଲେଖାଶ୍ରୀଙ୍କୁ ଜବାବ ଦେଇଛନ୍ତି ଶାସକ ଦଳର ବରିଷ୍ଠ ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ ବିଜେପି ମୁକ୍ତ ଭାରତ କଥା କହିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରମିଳା ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଦରଦାମ ବୃଦ୍ଧିକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ତେଣୁ ସମଗ୍ର ଭାରତର ଲୋକେ ଚିନ୍ତା କଲେଣି କେମିତି ବିଜେପି ମୁକ୍ତ ଭାରତ ଗଠନ କରିବେ। ୯ ବର୍ଷ ମଧ୍ୟରେ କୌଣସି ଭଲ କାମ କରି ନାହାନ୍ତି। କେବଳ ମିଛ କଥା କହିଛନ୍ତି। କୁଆଡେ ଗଲା କଳାଟଙ୍କା ଆଣି ଲୋକଙ୍କ ଖାତାରେ ଦେବା କଥା, କୁଆଡେ ଗଲା ଦରଦାମ ନିୟନ୍ତ୍ରଣ। କେଉଁ ଅଛେ ଦିନ ଆସିଲା। ପ୍ରମିଳା ଏସବୁ ପ୍ରଶ୍ନ କରିଥିବା ବେଳେ କହିଛନ୍ତି କେବଳ ପୁଞ୍ଜିପତି ମାନଙ୍କର ଅଛେ ଦିନ ଆଣିଲେ। ଆଇନଶୃଂଖଳା ପ୍ରସଙ୍ଗରେ ପ୍ରମିଳା କହିଛନ୍ତି ସେମାନେ ଓଡ଼ିଶାର ଆଇନ ଶୃଙ୍ଖଳା କଥା କହିବା ପୂର୍ବରୁ ଗୁଜୁରାଟ, ଉତ୍ତରପ୍ରଦେଶ ଆଉ ଦିଲ୍ଲୀ କଥା ଦେଖନ୍ତୁ। ଦିଲ୍ଲୀ, ୟୁପି ଓ ଗୁଜୁରାଟଠୁ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବହୁତ ଭଲ ଅଛି। କେବଳ ସେତିକି ନୁହେଁ ସାଧାରଣ ଲୋକଙ୍କ ପାଖକୁ ଯାଆନ୍ତୁ ଜବାବ ପାଇଯିବେ ବୋଲି ପ୍ରମିଳା କହିଛନ୍ତି।

ସୂଚନାଯୋଗ୍ୟ ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନର ଲୋକାର୍ପଣ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ପୁରୀ ବିମାନବନ୍ଦରକୁ ବିଶ୍ୱସ୍ତରୀୟ ସମୁଦ୍ରକୂଳ ବିମାନ ବନ୍ଦରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶକୁ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ମୋଦି ସହାୟତାରେ ଆଗାମୀ ୩ରୁ ୪ବର୍ଷ ମଧ୍ୟରେ ଏହି ବିମାନ ବନ୍ଦର ପ୍ରସ୍ତୁତ ହେବ। ଶ୍ରୀକ୍ଷେତ୍ର ଆସି ପ୍ରଧାନମନ୍ତ୍ରୀ ଏହି ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରର ଲୋକାର୍ପଣ କରିବେ ବୋଲି ନବୀନ ଇଚ୍ଛା ବ୍ୟକ୍ତ କରିଛନ୍ତି। ଏହାଛଡା ନବୀନ କହିଛନ୍ତି ବୁଲେଟ୍ ଟ୍ରେନ ଚଳାଚଳ ସ୍ୱପ୍ନ ଖୁବଶୀଘ୍ର ବାସ୍ତବ ରୂପ ନେବ। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ପରେ ଭାରତରେ ବୁଲେଟ ଟ୍ରେନର ଆକାଂକ୍ଷା ପୂରଣ ଦିଗରେ ଆମେ ଆଉ ପାଦେ ନିକଟତର ହୋଇଛୁ। ମୁଁ ନିଶ୍ଚିତ ଯେ, ଆପଣଙ୍କ ନେତୃତ୍ୱରେ ଆମକୁ ଖୁବଶୀଘ୍ର ବୁଲେଟ୍ ଟ୍ରେନ ମିଳିବ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button