ପଞ୍ଚାୟତିରାଜ ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ସରପଞ୍ଚ ସଂଘ

ରାୟଗଡା : ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗ ଆଣି ସରପଞ୍ଚ ସଂଘ ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୧୨ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି।

ଖବର ଅନୁଯାୟୀ ସରପଞ୍ଚ ସଂଘ କହିଛି ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ସ୍ଵତନ୍ତ୍ର ସ୍ଵାୟତ୍ତ ଶାସନ ବ୍ୟବସ୍ଥା। ପଞ୍ଚାୟତକୁ ୫୦ ଲକ୍ଷରୁ ଅଧିକା ଟଂକା ଆସୁଥିଲେ ବିଡିଓଙ୍କ କାଉଣ୍ଟର ସାଇନ ଦରକାର ପଡ଼ିବ ବୋଲି ଗତ ଫେବ୍ରୁଆରିରେ ସରକାର ଚିଠି ଦେଇଥିଲେ। କିନ୍ତୁ ପୂର୍ବରୁ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦସ୍ତଖତରେ ସବୁ କାମ ହେଉଥିଲା। ପଲ୍ଲୀସଭା ଓ ଗ୍ରାମସଭାକୁ ଗୁରୁତ୍ଵ ଦିଆଯାଉ ନାହିଁ। ଏହି ସଭା ମାଧ୍ୟମରେ ଉନ୍ନୟନ କାର୍ଯ୍ୟ ଓ ହିତାଧୀକାରୀ ଚୟନ ହେଉ। ସରପଞ୍ଚ ସିଧାସଳଖ ଭୋଟରମାନଙ୍କ ଦ୍ଵାରା ନିର୍ବାଚିତ ହେଉଛନ୍ତି। ତେଣୁ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କ ଦ୍ଵାରା କରାଯାଉଥିବା ଅନାସ୍ଥା ପ୍ରସ୍ତାବକୁ ବନ୍ଦ କରାଯାଉ। ପଞ୍ଚାୟତରେ ଚାଲିଥିବା ବସୁଧା ଯୋଜନା, ଆଲୋକୀକରଣ ପାଇଁ ବିଦ୍ୟୁତ ବିଲ ପାଇଁ ସରକାର ସ୍ଵତନ୍ତ୍ର ଅନୁଦାନ ଘୋଷିତ କରନ୍ତୁ। ପଞ୍ଚାୟତରେ ସେଭଳି ଆୟ ନଥିବା ସହ ଏସଏଫସିରେ ଟଂକା କମ୍ ଆସୁଛି ବୋଲି ସରପଞ୍ଚମାନେ ଅଭିଯୋଗ କରିଛନ୍ତି।

ଏହାଛଡା ‘ଆମ ଓଡ଼ିଶା ନବୀନ ଓଡିଶା’ ନାମରେ ଆସୁଥିବା ଟଂକାକୁ ଗ୍ରାମସଭା ମାଧ୍ୟମରେ ପାରିତ ହେଉ। ସରପଞ୍ଚଙ୍କ ଭତ୍ତା ୨୩୫୦ ଟଂକାର ୩୦ ହଜାର ଟଂକାକୁ ବୃଦ୍ଧି, ସରପଞ୍ଚଙ୍କ ମୃତ୍ୟୁକାଳୀନ ସହାୟତା ପାଇଁ ୫୦ ଲକ୍ଷ ଟଂକା ପ୍ରଦାନ କରାଯାଉ। ଗ୍ରାମପଞ୍ଚାୟତର ସାଧାରଣ ବଣ୍ଟନ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ହାତରେ ରହୁ। ସରପଞ୍ଚଙ୍କ ପାଇଁ ସଦର ମହକୁମାରେ ସରପଞ୍ଚ ଭବନ ନିର୍ମାଣ କରାଯିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

Back to top button