ମଣିପୁରରେ ୫୪ ମୃତ, ସ୍ଥିତି ସ୍ଵାଭାବିକ ହେଉଛି : ହିଂସା ମେଘାଳୟକୁ ଡେଇଁଲା

ଇମ୍ଫାଲ୍‌ : ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସାରେ ୫୪ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏହି ହିଂସା ପଡ଼ୋଶୀ ରାଜ୍ୟ ମେଘାଳୟକୁ ବ୍ୟାପିଛି। ସେଠାରେ ପଢ଼ୁଥିବା ମଣିପୁରର କୁକୀ ଓ ମୈତୈ ସମ୍ପ୍ରଦାୟ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟିଥିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ଜଣାପଡିଛି।

ଖବର ଅନୁଯାୟୀ ଗତ ଗୁରୁବାର ରାତିରେ ମେଘାଳୟ ରାଜଧାନୀ ଶିଲଂର ମିଜୋ ମଡର୍ଣ୍ଣ ସ୍କୁଲ ନିକଟରେ ହୋଇଥିଲା ସଂଘର୍ଷ। କୁକୀ ଓ ମୈତୈ ସମ୍ପ୍ରଦାୟ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରେ ପରସ୍ପରଙ୍କୁ କରିଥିଲେ ଆକ୍ରମଣ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ୧୬ ଜଣଙ୍କୁ ଗିରଫ କରିଛି। ଏହି ସଂଘର୍ଷରେ ୨ ଜଣ ଆହତ ହୋଇଛନ୍ତି।

janatakhabar.in

ଅନ୍ୟପକ୍ଷରେ ଶନିବାର ଇମ୍ଫାଲ୍‌ ଉପତ୍ୟକାରେ ଦୋକାନ ବଜାର ଖୋଲିବା ସହିତ ରାସ୍ତାରେ ଯାନବାହନ ଚଳାଚଳ ସ୍ଵାଭାବିକ ହେଉଛି। ବହୁସଂଖ୍ୟକ ନିରାପତ୍ତା ବଳ ମୁତୟନ ହୋଇଥିବାରୁ ଲୋକେ ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିଥିବା ଦେଖାଯାଇଛି। ସେହିପରି ଇମ୍ଫାଲ୍‌ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି। ‘ଇଣ୍ଡିଗୋ’ ଏୟାର୍‌ଲାଇନ୍‌ ଶନିବାର ଇମ୍ଫାଲ୍‌ରୁ କୋଲ୍‌କାତାକୁ ଅତିରିକ୍ତ ବିମାନ ଚଳାଚଳ କରାଇବ ବୋଲି କହିଛି।

ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ୫୪ଜଣଙ୍କ ମଧ୍ୟରୁ ୧୬ଜଣଙ୍କ ଶବ ଚୁରାଚାନ୍ଦପୁର ଜିଲ୍ଲା ହସ୍ପିଟାଲ୍‌ ଶବାଗାରରେ ରଖାଯାଇଥିବା ବେଳେ ୧୫ଜଣଙ୍କ ଶବ ପୂର୍ବ ଇମ୍ଫାଲ୍‌ ଜିଲ୍ଲାର ଜବାହରଲାଲ୍‌ ନେହେରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ରେ ଶବାଗାରରେ ରଖାଯାଇଥିବା ସରକାରୀ ଅଧିକାରୀମାନେ କହିଛନ୍ତି। ଇମ୍ଫାଲ୍‌ ପଶ୍ଚିମ ଜିଲ୍ଲା ଅନ୍ତର୍ଗତ ରିଜିଓନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ୨୩ଜଣଙ୍କ ମୃତ୍ୟୁ ରିପୋର୍ଟ କରିଛି। ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ଷ୍ଟୁଡେଣ୍ଟସ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର (ଏସ୍‌ଏଫ୍‌ଆଇ) ମଣିପୁର ଯୁବକମାନଙ୍କୁ ଅନୁରୋଧ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button