ଶରଦ ପାୱାର ରହିବେ ଏନ୍‌ସିପି ସଭାପତି

ମୁମ୍ବାଇ : ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଇସ୍ତଫା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା। ପ୍ରକାଶ ପାଇଥିଲା ବିଭିନ୍ନ କଳ୍ପନାଜଳ୍ପନା। ସେ ଇସ୍ତଫା ପ୍ରତ୍ୟାହାର କରିବା ପରେ ଏସବୁର ଅନ୍ତ ଘଟିଛି। ଦଳର ବରିଷ୍ଠ ନେତାଙ୍କୁ ନେଇ ଗଠିତ ପ୍ୟାନେଲ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ମନା କରିବାରୁ ଶ୍ରୀ ପାୱାର ନିଷ୍ପତ୍ତି ବଦଳାଇଛନ୍ତି।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର କହିଛନ୍ତି ମୁଁ ମୋ ନିଷ୍ପତ୍ତି ଶୁଣାଇବା ପରେ ଦଳର କର୍ମୀ ଓ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉପଦେଷ୍ଟାମାନେ କହିଥିଲେ ମୁଁ ନେଇଥିବା ନିଷ୍ପତ୍ତି ଉପରେ ବିଚାର କରିବା ଉଚିତ୍। ମୋ ସମର୍ଥକ, ମହାରାଷ୍ଟ୍ର ଓ ଦେଶର ଅନେକ ରାଜନେତା ନିଷ୍ପତ୍ତି ପ୍ରତ୍ୟାହାର କରି ନେବାକୁ ଅନୁରୋଧ କରିଥିଲେ। ସମସ୍ତଙ୍କ ଅନୁରୋଧକୁ ବିଚାରକୁ ନେଇ ମୁଁ ମୋ ପୂର୍ବ ନିଷ୍ପତ୍ତିରୁ ଓହରି ଯାଇଛି। ମୁଁ ଘୋଷଣା କରୁଛି ଦଳର ସଭାପତି ଭାବେ କାର୍ଯ୍ୟ ଜାରି ରଖିବି।

ସେ କହିଲେ ଦଳର ସଭାପତି ଭାବେ ମୁଁ କାର୍ଯ୍ୟ ଅବ୍ୟାହତ ରଖିଲେ ମଧ୍ୟ ମୋର ଆଭିମୁଖ୍ୟ ସ୍ପଷ୍ଟ। ସଂଗଠନର ପଦପଦବୀ ପାଇଁ ଆମକୁ ଉତ୍ତରାଧିକାରୀ ବାଛିବାକୁ ପଡ଼ିବ। ତେଣୁ ଭବିଷ୍ୟତରେ ମୁଁ ଦଳର ସାଂଗଠନିକ ସ୍ତରରେ ପରିବର୍ତ୍ତନ କରିବା ଉପରେ ଗୁରୁତ୍ୱ ଦେବି। ନୂଆ ଦାୟିତ୍ୱ ବଣ୍ଟନ କରାଯାଇ ନୂଆ ନେତୃତ୍ୱ ସୃଷ୍ଟି କରାଯିବ। ସଂଗଠନକୁ ଆହୁରି ଦୃଢ଼ କରିବାକୁ ମୁଁ ଅନବରତ କାମ କରିବା ସହିତ ଦଳର ଆଦର୍ଶ ଓ ଲକ୍ଷ୍ୟଙ୍କୁ ଲୋକଙ୍କ ପାଖରେ ପହଞ୍ଚାଇବି। ଏହାଛଡା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିପକ୍ଷରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ଦିଗରେ ସେ କାର୍ଯ୍ୟ କରିବେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button