ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ଶେଷ, ପୁନରୁଦ୍ଧାର ଆରମ୍ଭ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାଲେଶ୍ଵର : ବାଲେଶ୍ଵରର ବାହାନଗାରେ ଘଟିଥିବା ଭୟାନକ ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଆରମ୍ଭ ହୋଇଛି ପୁନରୁଦ୍ଧାର କାର୍ଯ୍ୟ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଦୁର୍ଘଟଣାର ଆମେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ସହିତ ଭବିଷ୍ୟତରେ ଏପରି ଘଟଣା ଯେପରି ଘଟିବ ନାହିଁ ନିଶ୍ଚିତ କରିବୁ।

ବାଲେଶ୍ଵରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଛି ଭୟାନକ ରେଳ ଦୁର୍ଘଟଣା। ଆଜି ସକାଳେ ଘଟଣାସ୍ଥଳରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗୁରୁତର ଓ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା ନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିଥିଲେ। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଏହା ବଡ଼ ରେଳ ଦୁର୍ଘଟଣା। ରେଳବାଇ, ଏନଡିଆରଏଫ, ଏସଡିଆରଏଫ ଓ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ କରୁଛନ୍ତି। ସର୍ବୋତ୍ତମ ସମ୍ଭାବ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଗତକାଲି କ୍ଷତିପୂରଣ ଘୋଷଣା କରାଯାଇଥିଲା। ଦୁର୍ଘଟଣାର କାରଣ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ କୋଲକାତା-ଚେନ୍ନାଇ ମାର୍ଗରେ ରେଳଚଳାଚଳକୁ କିପରି ଯଥାଶୀଘ୍ର ସ୍ଵାଭାବିକ କରାଯିବ ସେ ଦିଗରେ ତୁରନ୍ତ କାର୍ଯ୍ୟାରମ୍ଭ ହେବ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button