୧୦ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟରେ ୨୧୭୧.୮୨କୋଟି ଟଙ୍କାର ୧୦ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଅନୁମୋଦନ ଦେଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୫୨୪୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ବସିଥିଲା। ପ୍ରକଳ୍ପଗୁଡ଼ିକୁ ଆବଶ୍ୟକତା ଅନୁସାରେ ଜମି ଓ ଜଳ ଯୋଗାଇବା ନିମନ୍ତେ ବୈଜ୍ଞାନିକ ସମ୍ମତ ଆକଳନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯାଜପୁରରେ ବାର୍ଷିକ ୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସିମେଣ୍ଟ ଗ୍ରାଇଣ୍ଡିଂ ସ୍ଥାପନ କରିବା ପାଇଁ ମାଇ ହୋମ୍ ଇଣ୍ଡଷ୍ଟ୍ରି ୬୫୦କୋଟି ଟଙ୍କା ବିନିଯୋଗ କରିବ। ଏଥିରେ ପ୍ରାୟ ୭୫୦ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ଏଲଏନ୍ ମେଟାଲିକ୍ସ ଝାରସୁଗୁଡ଼ାରେ ସ୍ପଞ୍ଜ ଆଇରନ, ପେଲେଟ୍ ଆଦି ପାଇଁ ବିନିଯୋଗ କରିବ ଓ ୫୭୧ଜଣ ପାଇବେ। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ପାରାଦୀପର ଉଦୟବଟଠାରେ ୧୫୦କୋଟି ଟଙ୍କା ନିବେଶ କରି ନଦୀଭିତ୍ତିକ ଜେଟି ନିର୍ମାଣ କରିବ। ଏଥିରେ ୨୮୦ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ।

ଏହାଛଡା ଯାଜପୁର ହରିଦାସପୁରରେ ଥିବା ରାମକୋ ସିମେଣ୍ଟ ପ୍ଲାଣ୍ଟର ସମ୍ପ୍ରସାରଣ କରିବ। ଏଥିପାଇଁ ବିନିଯୋଗ ହେବ ୧୯୦କୋଟି ଟଙ୍କା ଓ ୬୦ଜଣଙ୍କୁ ମିଳିବ ନିଯୁକ୍ତି। ଖୋର୍ଦ୍ଧା ଜିଲ୍ଲାରେ ଲକ୍ସରିଓ ଆସେଟ୍ ପ୍ରାଃ ଲିଃ ୧୮୧.୬୦କୋଟି ଟଙ୍କା ବ୍ୟୟରେ ଏକ ପଂଚତାରକା ହୋଟେଲ ନିର୍ମାଣ କରିବ ଓ ୨୨୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଶୈଳବାଳା ଇନଫ୍ରାଷ୍ଟକଚର ପ୍ରାଃ ଲିଃ ୧୦୭.୫୦ କୋଟି ଟଙ୍କାରେ ୪ତାରକା ହୋଟେଲ ଖୋର୍ଦ୍ଧା ଜିଲ୍ଲା ଶିଳ୍ପାଂଚଳରେ କରିବ। ଏଥିରେ ୩୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଲାଲଚାନ୍ଦ ରିସୋର୍ଟ ଖୋର୍ଦ୍ଧା ଜିଲ୍ଲାରେ ୧୧୯.୬୭କୋଟି ଟଙ୍କାରେ ହୋଟେଲ ଓ ବିଳାସମୟ ରିସୋର୍ଟ କରିବ। ଏଥିରେ ୩୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

Leave a Reply

Your email address will not be published. Required fields are marked *

Back to top button