ହଟ୍ଟଗୋଳ ଭିତରେ ତିନୋଟି ବିଲ ପାରିତ

ଭୁବନେଶ୍ୱର : ବିଧାନସଭାରେ ଆଜି ଜାରି ରହିଥିବା ବେଳେ ତିନୋଟି ବିଲ ପାରିତ ହୋଇଛି। ଏଗୁଡ଼ିକ ହେଲା ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍‌, ଓଡିଶା ବିନିୟୋଗ ଅଧି ନିୟମ ବଲ୍‌ ଓ ଓଡ଼ିଶା ସହର ଯୋଜନା ଏବଂ ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ୍‌। ବିଲ ପାରିତ ସମୟରେ କଂଗ୍ରେସ ଦଳର ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ। ଏଥିସହ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ସକାଳ ୧୦.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ।

ଶନିବାର ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅସୁସ୍ଥ ହୋଇପଡ଼ିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢି ପ୍ରତିବାଦ କରୁଥିବା ସମୟରେ ହଠାତ୍‌ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ସହଯୋଗୀ ବିଧାୟକମାନେ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ। ପରବର୍ତ୍ତୀ ସମୟରେ ତାରା ପୁଣି ସୁସ୍ଥ ଅନୁଭବ କରିଥିଲେ।

ଅନ୍ୟପକ୍ଷରେ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଧେୟକ ପାରିତ ହେବା ଦ୍ୱାରା କଲେଜ ଅଫ୍‌ ଇଞ୍ଜିନିୟରି ଆଣ୍ଡ ଟେକ୍ନୋଲୋଜି (ସିଇଟି) ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହା ନାମ ହୋଇଛି ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ। ସମାଜର ଉନ୍ନତି ସାଧନ ପାଇଁ ଯାନ୍ତ୍ରିକ ବିଦ୍ୟା, ପ୍ରଯୁକ୍ତି ବିଦ୍ୟା ଓ ତାର ପ୍ରୟୋଗ, ସ୍ଥପିତ ବିଦ୍ୟା, ଯୋଜନା, ମ୍ୟାନେଜମେଣ୍ଟ ଓ ପ୍ରାୟୋଗିକ ବିଜ୍ଞାନ କ୍ଷେତ୍ରରେ ଶିକ୍ଷା, ଗବେଷଣା ଓ ତାଲିମକୁ ବିକଶିତ କରାଯିବ। ଗୋଟିଏ ପକ୍ଷରେ ଶୈକ୍ଷିକ ଓ ଗବେଷକ ଗୋଷ୍ଠୀ ଏବଂ ଅନ୍ୟ ପକ୍ଷରେ ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ସମ୍ପର୍କ ବୃଦ୍ଧି କରିବା ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କ ପାଇଁ ଉପଲବ୍ଧ ଗବେଷଣାର ସୁଯୋଗ ଓ ପାଣ୍ଠି ବ୍ୟବସ୍ଥାର ପରିସରକୁ ବୃଦ୍ଧି କରିବା ନିମନ୍ତେ ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ବୁଝାମଣା କରିବ।

Leave a Reply

Your email address will not be published. Required fields are marked *

Back to top button