ବିଶିଷ୍ଟ ଲେଖିକା ଗୀତା ମେହେଟାଙ୍କ ପରଲୋକ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ପ୍ରସିଦ୍ଧ ଲେଖିକା ଗୀତା ମେହେଟାଙ୍କର ଦିଲ୍ଲୀସ୍ଥିତ ବାସଭବନରେ ଶନିବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ୧୯୪୩ ମସିହାରେ ନୂଆଦିଲ୍ଲୀରେ ଜନ୍ମିତ ଗୀତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କର ଏକମାତ୍ର କନ୍ୟା। ସେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ପରେ ବ୍ରିଟେନର କେମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟରେ ଉଚ୍ଚଶିକ୍ଷା ହାସଲ କରିଥିଲେ। ୧୯୬୫ରେ ଆମେରିକାସ୍ଥିତ ଆଲଫ୍ରେଡ୍‌ ଏନୋଫ୍ ପ୍ରକାଶନୀ ସଂସ୍ଥାର ମୁଖ୍ୟ ସନି ମେହେଟାଙ୍କୁ ବିବାହ କରିଥିଲେ। ୨୦୧୯ ମସିହାରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ଏକମାତ୍ର ପୁତ୍ରଙ୍କ ନାମ ଆଦିତ୍ୟ ସିଂହ ମେହେଟା।

ଅନ୍ତର୍ଜାତୀୟ ସ୍ତରରେ ଜଣେ ପରିଚିତ ଲେଖିକା ଭାବେ ଖ୍ୟାତି ଅର୍ଜନ କରିଥିବା ଗୀତା ମେହେଟା ଇଂଲଣ୍ଡ, ୟୁରୋପ ଓ ଆମେରିକାର ବିଭିନ୍ନ ଟିଭି ଚାନେଲ ପାଇଁ ୧୪ଟି ବୃତ୍ତଚିତ୍ର ନିର୍ମାଣ କରିଥିଲେ। ୧୯୭୦-୧୯୭୧ ମସିହା ମଧ୍ୟରେ ସେ ଆମେରିକାର ଟିଭି ଚ୍ୟାନେଲ୍ ଏନ୍‌ବିସି ପାଇଁ ଯୁଦ୍ଧ ସମ୍ବାଦଦାତା ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ବୃତ୍ତଚିତ୍ର ‘କମ୍ପାଇଲେସନ୍‌ ଅଫ୍‌ ଦି ବାଂଲାଦେଶ ରିଭୋଲୁସନ, ଡେଟଲାଇନ ବାଂଲାଦେଶ, ଉଭୟ ଭାରତ ଏବଂ ବିଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା। ୨୦୧୯ରେ ପଦ୍ମଶ୍ରୀ ସମ୍ମାନ ପାଇଁ ସେ ମନୋନୀତ ହୋଇଥିଲେ। ରାଜନୈତିକ କାରଣରୁ ତାହାକୁ ପ୍ରତ୍ୟାଖ୍ୟାନ କରି ସେ ଚର୍ଚ୍ଚାକୁ ଆସିଥିଲେ। ସ୍ଵର୍ଗତ ମେହେଟା କର୍ମ କୋଲା, ସ୍ନେକ୍ ଆଣ୍ଡ ଲ୍ୟାଡର୍ସ, ଏ ରିଭର୍ ସୂତ୍ର, ରାଜ୍‌, ଏଟରନାଲ ଗଣେଶ ଆଦି ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକକୁ ୨୧ଟି ଭାଷାରେ ଅନୁବାଦିତ କରାଯାଇଛି। ଏହା ଭାରତ ସମେତ ଆମେରିକା ଓ ୟୁରୋପରେ ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକ। ମେହେଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button