ପିପିଲିରେ ୮ ପ୍ରାର୍ଥୀ ଅମାନତ ହରାଇଲେ

ପୁରୀ : ପିପିଲି ବିଧାନସଭା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୨୦ହଜାର ୯୨୬ ଭୋଟରେ ପରାସ୍ତ କରିଛନ୍ତି। ୨୦୧୯ ନିର୍ବାଚନ ତୁଳନାରେ ବିଜେଡି ଓ ବିଜେପି ଦଳ ଭିତରେ ଭୋଟ୍‌ ବ୍ୟବଧାନ ବଢ଼ିଛି। ରୁଦ୍ରପ୍ରତାପ ମହାରଥୀ ୯୬ହଜାର ୯୭୨ ଭୋଟ ପାଇଥିବା ବେଳେ ଆଶ୍ରିତ ପାଇଛନ୍ତି ୭୬ହଜାର ୦୫୬ ଭୋଟ୍‌। କିନ୍ତୁ ଜାତୀୟ ଦଳ କଂଗ୍ରେସ ଅମାନତ ହରାଇଛି। ମାତ୍ର ୪ହଜାର ୨୬୨ ଭୋଟ୍‌ରେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ଵର୍ଗତ ପ୍ରଦୀପ ମହାରଥୀ ୮୮ହଜାର ୫୧୮ ଭୋଟ୍‌ ପାଇଥିଲେ। ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଥିଲା ୭୨ ହଜାର ୭୩୧ ଭୋଟ୍‌। ଭୋଟ ବ୍ୟବଧାନ ଥିଲା ପ୍ରାୟ ୧୬ ହଜାର। କିନ୍ତୁ ଉପନିର୍ବାଚନରେ ରୁଦ୍ରଙ୍କୁ ୯୬ହଜାର ୯୭୨ ଭୋଟ୍‌ ମିଳିଛି। ଯାହା ତାଙ୍କ ବାପାଙ୍କଠାରୁ ୮ହଜାର ୪୫୪ ଭୋଟ୍‌ ଅଧିକ। ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କଠାରୁ ୨୦ହଜାର ୯୨୬ ଭୋଟ୍‌ ଆଗରେ ରହିଛନ୍ତି। ୨୦୧୯ ନିର୍ବାଚନରେ ତୁଳନାରେ ପ୍ରାୟ ୪ହଜାର ଭୋଟ୍‌ ଅଧିକ ପାଇ ବିଜେପି ପ୍ରାର୍ଥୀ ପରାଜିତ ହୋଇଛନ୍ତି। ୨୦୧୯ ତୁଳନାରେ ଉଭୟ ବିଜେଡି ଓ ବିଜେପିର ଭୋଟ୍‌ ପ୍ରତିଶତ ବୃଦ୍ଧି ବଢିଛି। ୨୦୧୯ ନିର୍ବାଚନରେ ବିଜେଡି ୫୦.୬୬ ପ୍ରତିଶତ, ବିଜେପି ୪୧.୬୨ ପ୍ରତିଶତ ଓ କଂଗ୍ରେସ ୫.୬୩ ପ୍ରତିଶତ ଭୋଟ୍‌ ପାଇଥିଲା। ଉପନିର୍ବାଚନରେ ବିଜେଡି ୫୩.୬ ପ୍ରତିଶତ, ବିଜେପି ୪୨.୦୪ ପ୍ରତିଶତ‌ ଓ କଂଗ୍ରେସ ୨.୩୬ ପ୍ରତିଶତ ଭୋଟ୍‌ ପାଇଛି।

ଉପନିର୍ବାଚନରେ ତିନି ପ୍ରମୁଖ ଦଳ ବ୍ୟତୀତ ସିପିଆଇ(ଏମ୍‌ଏଲ୍‌) ପ୍ରାର୍ଥୀ ଅଶୋକ ପ୍ରଧାନ ୮୯୮, ଅଖିଳ ଭାରତ ହିନ୍ଦୁ ମହାସଭା ପ୍ରାର୍ଥୀ ଜୟପ୍ରକାଶ ସେଠୀ ୪୫୫, କଳିଙ୍ଗ ସେନା ପ୍ରାର୍ଥୀ ପିଙ୍କଲିନ୍‌ ମହାନ୍ତି ୧୫୬, ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ ପ୍ରାର୍ଥୀ ମହମ୍ମଦ ଇମାମୁଦିନ୍‌ ୨୪୪, ସ୍ୱାଧୀନ ପ୍ରାର୍ଥୀ ନଗେନ୍ଦ୍ରନାଥ ମିଶ୍ର ୪୧୪, ସୁଲୋଚନା ସାହୁ ୨୬୬ ଓ ସ୍ଵପ୍ନେଶ୍ବର ନାୟକ ୩୭୭ ଖଣ୍ଡ ଭୋଟ୍‌ ପାଇଛନ୍ତି। ନୋଟାରେ ୮୩୧ ଭୋଟ୍‌ ପଡ଼ିଥିବା ବେଳେ ୧୩୬ଟି ଭୋଟ୍‌ ନାକଚ ହୋଈଛି।

Leave a Reply

Your email address will not be published. Required fields are marked *

Back to top button