ମୁଁ ଓଡ଼ିଶାର ଜ୍ୱାଇଁ : ପ୍ରଧାନ ବିଚାରପତି

କଟକ : ଆଜିଠାରୁ କଟକରେ ଆରମ୍ଭ ହୋଇଛି ଦୁଇ ଦିନିଆ ଡିଜିଟାଇଜେସନ, ପେପରଲେସ କୋର୍ଟ୍ସ ଓ ଇ-ଇନିସିୟେଟିଭ ସମ୍ପର୍କିତ ଜାତୀୟ ସମ୍ମିଳନୀ। ଏହାକୁ ଉଦଘାଟନ କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୁଡ କହିଛନ୍ତି ମୁଁ ଓଡ଼ିଶାର ଜ୍ୱାଇଁ। ମୋ ପତ୍ନୀ ଜଣେ ଓଡ଼ିଆ। ସେଥିପାଇଁ ଅନେକ ସମୟରେ ମୁଁ କଟକ ଓ ଭୁବନେଶ୍ୱର ଆସେ।

ଶନିବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତାଙ୍କ ଉଦଘଟନୀ ଅଭିଭାଷଣ କହିଲେ ପେପରଲେସ କୋର୍ଟ ଲାଗୁ କରିବାରେ ଓଡିଶାର କାର୍ଯ୍ୟ ପ୍ରଶଂସନୀୟ। ସାରା ଦେଶରେ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟ ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଅର୍ଥାତ ୨୦୨୩-୨୭ ମଧ୍ୟରେ ଏଥିପାଇଁ ୭ ହଜାର ୨୧୦ କୋଟି ଟଙ୍କା ଖର୍ଚ୍ଚ ଅନୁମୋଦନ କରିଛନ୍ତି। ଲୋକଙ୍କୁ ନ୍ୟାୟ ପ୍ରଦାନ ଓ ସେମାନଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ସହଜରେ ପହଞ୍ଚିବା ହେଉଛି ମୂଳ ଲକ୍ଷ୍ୟ। ତେଣୁ ପ୍ରତ୍ୟେକ ଟଙ୍କାଟିଏ ଖର୍ଚ୍ଚର ଉଚିତ୍ ବିନିଯୋଗ ହେବା ଉଚିତ୍।

ସେ କହିଲେ ଇ-କୋର୍ଟ ପଦକ୍ଷେପକୁ ସଫଳ କରିବାରେ ଓଡିଶା, କେରଳ ଓ ମଧ୍ୟପ୍ରଦେଶ ସରକାର ଯେପରି ସହାୟତା ଦେଇଛନ୍ତି ତାହା ଅନ୍ୟ ରାଜ୍ୟରେ ହେଉନାହିଁ। ଓଡ଼ିଶାର ପ୍ରାୟ ୨୦ଟି ଜିଲ୍ଲାରେ ଏକ ଭଚ୍ୟୁଆଲ କୋର୍ଟ ଚାଲିପାରୁଥିବାରୁ ଓକିଲ ଓ ମୁଦାଲା ସମସ୍ତଙ୍କୁ ସୁବିଧା ହେଉଛି। ଆଇନ ଅଦାଲତ ଗୁଡିକର ସମସ୍ତ ରେକର୍ଡକୁ ଡିଜିଟାଲାଇଜ କରିବା ଲାଗି ଗତ କେଇବର୍ଷ ହେଲା ପ୍ରୟାସ ଜାରି ରହିଛି। କିନ୍ତୁ ପେପରଲେସ କୋର୍ଟ କାର୍ଯ୍ୟ କରିବାକୁ ଯେଉଁ ପଦକ୍ଷେପ ନିଆଯାଇଛି ସେଥିରେ ସେତେଟା ସଫଳତା ମିଳିପାରିନାହିଁ। ଏହାର କାରଣ ହେଲା ଇ-କୋର୍ଟ ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଅର୍ଥର ଅଭାବ ରହୁଛି। ସେଥିପାଇଁ ସବୁ ରାଜ୍ୟମାନେ ଯୁଗପୋଯୋଗୀ ପଦକ୍ଷେପ ନେବା ନେବା ଉଚିତ। ଏହାଛଡା ୟୁଟ୍ୟୁବ ଜରିଆରେ ଅଦାଲତି କାର୍ଯ୍ୟର ଯେଉଁ ଲାଇଭଷ୍ଟିମିଂ ହେଉଛି ତା’କୁ ସାମାଜିକ ଗଣମାଧ୍ୟମରେ କିପରି ଅପବ୍ୟବହାର କରାନଯିବ ତାହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୁଡ ଗୁରୁତ୍ୱାରୋପ କରିଛନ୍ତି।

ସେହିପରି ଆହ୍ଲାବାଦ ହାଇକୋର୍ଟର ଉଦାହରଣ ଦେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ କହିଲେ ଉତ୍ତରପ୍ରଦେଶର ହାତ ଗଣତି ଜିଲ୍ଲାକୁ ଛାଡିଦେଲେ ଅବଶିଷ୍ଟ ଜିଲ୍ଲାରେ ଇ-ଚାଲାଣ ବ୍ୟବସ୍ଥା କାମ କରୁନାହିଁ। ଯାହାଫଳରେ ଧାର୍ଯ୍ୟ ହୋଇଥିବା ଜରିମାନା ରାଶି ଆଦାୟରେ ସମସ୍ୟା ଦେଖାଦେଉଛି। ଓଡିଶା ପରି ମଧ୍ୟପ୍ରଦେଶ ଓ କେରଳରେ ମଧ୍ୟ ଆଖି ଦୃଷ୍ଟିଆ କାମ ହୋଇ ପାରିଥିବା ବେଳେ ଅନ୍ୟ ରାଜ୍ୟମାନେ ପଛରେ ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button