ଅସିତ ତ୍ରିପାଠୀ ହେଲେ ଭୁବନେଶ୍ୱର କ୍ଲବ୍ ସଭାପତି

ଭୁବନେଶ୍ୱର : ଭୁବନେଶ୍ୱର କ୍ଲବ୍‌ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ସେ ୨୭୮ ଭୋଟ୍‌ରେ ପରାଜିତ କରିଛନ୍ତି। ଅସିତ୍‌ଙ୍କୁ ମୋଟ ୭୭୬ଟି ଭୋଟ୍ ମିଳିଥିବା ବେଳେ ବିଜୟ ପାଇଛନ୍ତି ୪୯୮ଟି ଭୋଟ୍‌।

ସଭାପତି ନିର୍ବାଚିତ ହେବା ପରେ ଅସିତ କହିଛନ୍ତି ୭୦ ବର୍ଷରୁ ଅଧିକ ସମୟର ହେଉଛି ଭୁବନେଶ୍ୱର କ୍ଲବ୍‌। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହା ଗଠନ କରାଯାଇଥିଲା ସେହି ଉଦ୍ଦେଶ୍ୟ ପୂରଣ ହୋଇପାରି ନାହିଁ। କ୍ଲବ୍ କହିଲେ କେବଳ ଏକ ବାର୍‌ କି ରେଷ୍ଟୁରାଣ୍ଟ ନୁହେଁ। ତାଙ୍କ ନୂଆ ଟିମ୍ କ୍ଲବ୍‌କୁ ଏକ ନୂଆ ଦିଗରେ ଆଗେଇ ନେବ।

ସୂଚନାଯୋଗ୍ୟ ଗତବର୍ଷ ଡିସେମ୍ବର ୩୧ରେ ଅସିତ୍ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ। ପରେ ସରକାର ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏଥିସହ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ୱର କ୍ଳବ୍ ୭୧ ବର୍ଷ ତଳେ ଗଠନ ହୋଇଥିଲା। ଏଥିରେ ଏବେ ରାଜନେତା, ଆଇଏଏସ୍‌ ଓ ଶିଳ୍ପପତିମାନେ ସଦସ୍ୟ ରହିଛନ୍ତି।

ସେହିପରି କଟକ କ୍ଲବ୍‌ର ଆଜି ନିର୍ବାଚନ ହୋଇଛି। ଏଥିରେ ସଂଯୁକ୍ତା ମହାପାତ୍ର ସଭାପତି ଓ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ସତ୍ୟକୀ ଘୋଷ। ଜନ୍ମେଜୟ ମହାପାତ୍ର ଉପ-ସଭାପତି, ସତ୍ୟମୋହନ ରଥ ଯୁଗ୍ମ-ସଂପାଦକ ଓ କମଳ ଦାସ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button