ପ୍ରେମିକାକୁ ଛୁରିଭୁସି ହତ୍ୟାକଲା ପ୍ରେମିକ

ନୂଆଦିଲ୍ଲୀ : ରୋହିଣୀ ଅଞ୍ଚଳରେ ରବିବାର ଘଟିଥିଲା ନୃଶଂସ କାଣ୍ଡ। ପ୍ରେମିକାକୁ ୨୦ ଥର ଛୁରି ଭୁସିବା ପରେ ମୁଣ୍ଡକୁ ପଥରରେ ଛେଚି ଫେରାର ହୋଇଯାଇଥିଲା ପ୍ରେମିକ। ଆଜି ଦିଲ୍ଲୀ ପୋଲିସ ଅଭିଯୁକ୍ତକୁ ଉତ୍ତରପ୍ରଦେଶ ବୁଲନ୍ଦ ସହରରୁ ଗିରଫ କରିଛି।
ଖବର ଅନୁଯାୟୀ ସାହିଲ ଜଣେ ଫ୍ରିଜ୍-ଏସି ମେକାନିକ୍। ସାକ୍ଷୀ ଜଣେ ନାବାଳିକା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କୁହାଯାଉଥିଲେ ହେଁ ହତ୍ୟାକାଣ୍ଡର ଦିନକ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରବିବାର ସାକ୍ଷୀ ତା’ର ଜଣେ ବାନ୍ଧବୀଙ୍କ ପୁଅ ଜନ୍ମଦିନ ଉତ୍ସବକୁ ଯାଉଥିବା ସମୟରେ ସାହିଲ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲା।
ଭାଇରାଲ ଭିଡିଓରେ ଦେଖାଯାଇଛି ଶାହବାଦ୍ ଡାଏରିର ଗୋଟାଏ ସରୁ ଗଳିରେ ପ୍ରେମିକ ସାହିଲ୍ ପ୍ରେମିକା ସାକ୍ଷୀଙ୍କୁ ଛୁରି ଭୁସୁଛି। ବାଟୋଇମାନେ ସେ ଭୟଙ୍କର ଦୃଶ୍ୟ ଦେଖୁଛନ୍ତି। ଛୁରି ଭୁସିବା ପରେ ସାହିଲ୍ ରାସ୍ତାରୁ ଗୋଟାଏ ଓଜନିଆ ସ୍ଲାବ୍ ଉଠାଇ ସାକ୍ଷୀଙ୍କ ମୁଣ୍ଡକୁ ଏକାଧିକ ବାର ଛେଚି ସେଠାରୁ ଚାଲିଯାଉଛି। କିଛି ସମୟ ପରେ ପୁଣି ଫେରିଆସି ସାକ୍ଷୀଙ୍କ ମୁଣ୍ଡକୁ ପୂର୍ବଭଳି ଛେଚି ପକାଉଛି। ଅଭିଯୁକ୍ତ ହୋଇଥିଲେ ହେଁ କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେଲା ତାହା ଜନପଡିନାହିଁ।