ଜଗମୋହନ ଓ ନାଟମଣ୍ଡପ ମରାମତି ନେଇ ଏଏସଇକୁ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ : ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି ପ୍ରସଙ୍ଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ବିସ୍ତୃତ ରିପୋର୍ଟ ଦେବାକୁ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ଜଗମୋହନର ମରାମତି ପାଇଁ ୨୦୧୬ ମସିହାରୁ ମାମଲା ଦାୟର ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାରେ ନାଟମଣ୍ଡପ ଓ ଶେଷରେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ଯୋଡ଼ାଯାଇଛି। ଜଗମୋହନ ଓ ନାଟମଣ୍ଡପର ମରାମତି କାମ ନିୟମିତ କରାଯାଉଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଆଇଆଇଟି ଚେନ୍ନାଇରୁ ଡିଜାଇନ୍‌ ମଗାଯାଇଛି। ଡିଜାଇନ ମିଳିବା ପରେ ମରାମତି କାମ ସମ୍ପୂର୍ଣ୍ଣ ହେବ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଥିଲା।

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବି.ଆର. ଷଡ଼ଙ୍ଗୀ ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ସହଯୋଗୀ ବିଚାରପତି ଭାବେ ମାମଲାର ଶୁଣାଣି କରିଥିଲେ। ଜାଣିବାକୁ ଚାହିଁଥିଲେ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ମରାମତି କାମ କାହିଁକି ଶେଷ ହୋଇପାରୁ ନାହିଁ। ୨୦୧୭ ମସିହାରୁ ମରାମତି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ଓ କେଉଁ କାମ ବାକି ରହିଛି ତାହାର ବିସ୍ତୃତ ରିପୋର୍ଟ ଦେବାକୁ ଖଣ୍ଡପୀଠ କହିଛନ୍ତି। ଅନ୍ୟପକ୍ଷରେ ରତ୍ନଭଣ୍ଡାର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ଓ ସଂରକ୍ଷଣ ପ୍ରସଙ୍ଗରେ ଆସନ୍ତା ୮ ତାରିଖରେ ଶୁଣାଣି କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button