ବିରୋଧୀଙ୍କ ଆହ୍ଵାନକୁ ଗ୍ରହଣ କଲେ ଭିକେ ପାଣ୍ଡିଆନ୍‌

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ୫ଟି ସଚିବ ତଥା ବରିଷ୍ଠ ଆଇଏଏସ୍‌ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ଖବର ପୂଜା ବଜାରରେ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରୁଥିଲେ। ସରକାରୀ ଚାକିରିରୁ ଇସ୍ତଫା ଦେଇ ରାଜନୀତିକୁ ଆସିବା ପାଇଁ ଦେଉଥିଲେ ଆହ୍ଵାନ। ଏବେ ତାହାହିଁ ହୋଇଛି। ସେ ରାଜନୀତି କରିବେ କି ନାହିଁ ସ୍ପଷ୍ଟ ହୋଇନି। କିନ୍ତୁ ବିରୋଧୀଙ୍କ ଆହ୍ଵାନକୁ ଗ୍ରହଣ କରିଛନ୍ତି ଶ୍ରୀ ପାଣ୍ଡିଆନ୍‌।

ଭି କାର୍ତ୍ତିକେୟ ପାଣ୍ଡିଆନଙ୍କ ସ୍ଵେଚ୍ଛାକୃତ ଅବସର ପରେ ୨୩ ବର୍ଷର ପ୍ରଶାସନିକ କ୍ୟାରିୟର ଶେଷ ହୋଇଛି। ଶ୍ରୀ ପାଣ୍ଡିଆନ ୧୯୭୪ ମେ’ ୨୯ ତାରିଖରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ନୂଆଦିଲ୍ଲୀ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରୁ ଉଭୟ ସ୍ନାତକ ଓ ସ୍ନାତକୋତ୍ତରରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ।

୨୦୦୦ ସେପ୍ଟେମ୍ବର ୭ରୁ ୨୦୨୨ ଜୁଲାଇ ୧ ତାରିଖ ତାଲିମ ସମୟ ପରେ ପ୍ରଥମ ନିଯୁକ୍ତି ଥିଲା କଳାହାଣ୍ଡିର ଧର୍ମଗଡ଼ ଉପଜିଲ୍ଲାପାଳ। ଏହି ପଦବିରେ ୨୦୦୨ ଅଗଷ୍ଟ ୧ରୁ ୨୦୦୪ ଫେବ୍ରୁଆରି ୨୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୦୪ ମାର୍ଚ୍ଚ ୧ରୁ ଜୁନ୍‌ ୩୦ ଯାଏ ଥିଲେ ଓଡ଼ିଶା ନିର୍ବାଚନ ବିଭାଗରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ। ୨୦୦୪ ଜୁଲାଇ ୧ରୁ ୨୦୦୫ ଏପ୍ରିଲ ୩୦ ଯାଏଁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟ ତୁଲାଇଥିଲେ।

ସେହିପରି ୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮ ମୟୂରଭଂଜ ଜିଲ୍ଲାପାଳ ଓ ୨୦୦୯ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ଗଂଜାମ ଜିଲ୍ଲାପାଳ ଭାବେ କାମ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସି ୨୦୧୧ ମେ’ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହେଲେ। ୨୦୧୯ ମସିହାରେ ‌ତାଙ୍କୁ ୫-ଟି ସଚିବ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ଏହି ପଦବୀରେ ତାଙ୍କର ଦାୟିତ୍ଵ ବଢିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ସେ ରାଜ୍ୟର ପ୍ରତି ଜିଲ୍ଲାକୁ ଗସ୍ତ କଲେ। ଲୋକଙ୍କ ସମସ୍ୟାର ସମାଧାନ ଲାଗି ସେମାନଙ୍କ ପାଖକୁ ଯାଇ ବିରୋଧୀ ଦଳର ସମାଲୋଚନାର ଶିକାର ହୋଇଥିଲେ। ଜନସାଧାରଣଙ୍କ ସୁଖଦୁଃଖ ବୁଝିବା ଲାଗି ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ସେ ପ୍ରତିଟି ସଭାରେ ବକ୍ତବ୍ୟ ରଖୁଥିଲେ। ମାତ୍ର ଜଣେ ପ୍ରଶାସନିକ ଅଧିକାରୀ ପକ୍ଷରେ ଏହା କେତେ ଯଥାର୍ଥ ତାହାକୁ ନେଇ ଉଠିଲା ପ୍ରଶ୍ନ। ଆଜି ତାଙ୍କର ପ୍ରଶାସନିକ ଅଧିକାରୀର କ୍ୟାରିୟର ସମାପ୍ତ ହୋଇଛି। ଏବେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସିଲେ ଏସବୁ ପ୍ରଶ୍ନ ଆଉ ଉଠିବନି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button