ଶରଧାବାଲିରେ ତାଳଧ୍ଵଜ : ବାଟରେ ଅଟକିଲା ଦର୍ପଦଳନ ଓ ନନ୍ଦିଘୋ​ଷ

ପୁରୀ : ଆଜି ଶ୍ରୀଜୀଉଙ୍କ ଘୋଷଯାତ୍ରା। ଅପରାହ୍ନରେ ସିଂହଦ୍ଵାରରୁ ଯାତ୍ରା ଆରମ୍ଭ କରିଥିବା ଶ୍ରୀଜିଉଙ୍କ ତିନି ରଥ ଶରଧାବାଲିରେ ପହଞ୍ଚି ପାରିନାହିଁ। ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଅଧବାଟରେ ଅଟକିଥିବା ବେଳେ ପ୍ରଭୁ ବଳଦେବଙ୍କ ରଥ ତାଳଧ୍ଵଜ ଶରଧାବାଲିରେ ପହଞ୍ଚିଛି। ଦର୍ପଦଳନ ବଡ଼ଶଂଖ ଓ ନନ୍ଦିଘୋଷ ବଳଗଣ୍ଡି ମାଉସୀ ମାଆ ଛକଠାରେ ପହଞ୍ଚିଛି। ଆସନ୍ତାକାଲି ୯ଟାରେ ଏହି ଦୁଇ ରଥକୁ ଭକ୍ତମାନେ ଟାଣି ଶରଧାବାଲିରେ ପହଞ୍ଚାଇବେ। ଏହି ସୂଚନା ଦେଇଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର।

ମଙ୍ଗଳବାର ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ପୂର୍ବରୁ ରଥ ପ୍ରତିଷ୍ଠା ପରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପରେ ବଡ଼ଭାଇ ବଳଭଦ୍ର ଓ ପଛେ ପଛେ ମା’ ସୁଭଦ୍ରାଙ୍କର ହୋଇଥିଲା ପହଣ୍ଡି। ଶେଷରେ ବାହାରିଥିଲେ ଜଗତରନାଥ ଜଗନ୍ନାଥ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ତାପରେ ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରିଥିଲେ ଗଜପତି। ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥୀ ଲାଗିବା ପରେ ଅପରାହ୍ନ ପ୍ରାୟ ୩ଟା ଅର୍ଥାତ ନିର୍ଦ୍ଧାରିତ ସମୟର ୧ ଘଣ୍ଟା ପୂର୍ବରୁ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ଭକ୍ତ। ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ବଡ଼ଦାଣ୍ଡରେ ଗଡ଼ିଥିଲା।

ରଥ ଟଣା ପୂର୍ବରୁ ବଡ଼ଦାଣ୍ଡରେ ଠାକୁରଙ୍କ ଦର୍ଶନ କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀମାନେ ପହଞ୍ଚିଥିଲେ। ରାଜ୍ୟପାଳ ମହାପ୍ରଭୁଙ୍କ ପହଣ୍ଡି ଦେଖିବା ସହ ରଥଯାତ୍ରା ଅବସରରେ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରଥଯାତ୍ରା ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମ ପ୍ରତିଷ୍ଠାରେ ସହାୟକ ହେଉ ବୋଲି ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନ କରିଥିବା କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବା ସହିତ ରଥ ଦଉଡ଼ିକୁ ଛୁଇଁ ପ୍ରଣାମ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ରାଜ୍ୟ କ୍ୟାବିନେଟର ଅନେକ ମନ୍ତ୍ରୀ, ବରିଷ୍ଠ ନେତା, ପିସିସି ସଭାପତି ଶରତ ପଟ୍ଟନାୟକ ରଥଯାତ୍ରାରେ ସାମିଲ ହୋଇଥିଲେ। ଆଜି ରଥଯାତ୍ରାରେ ପୁରୀରେ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button