ଚାଉଳ କମ୍ ଦେବାରୁ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଅଟକ
ଖୋର୍ଦ୍ଧା : ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦେଢରୁ ଦୁଇ କିଲୋଗ୍ରାମ ଚାଉଳ କମ ଦେବାରୁ ମଲ୍ଲିପୁର ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ଚମ୍ପାପୁର ଗ୍ରାମବାସୀ ଉଭୟ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ଅଟକ ରଖିଥିବା ଜଣାପଡିଛି।
ଖବର ଅନୁଯାୟୀ ଗୁରୁବାର ଅପରାହ୍ନରେ ମଲ୍ଲିପୁର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ଅଧିକାରୀ ହିତାଧିକାରୀଙ୍କୁ ଚାଉଳ ବାଣ୍ଟୁଥିଲେ। ଦେଢ଼ରୁ ଦୁଇ କିଲୋଗ୍ରାମ କାହିଁକି କମ ଦିଆଯାଉଛି ବୋଲି ଚମ୍ପାପୁର ଗାଁର ହିତାଧିକାରୀମାନେ ପଚାରିଥିଲେ। ପଂଚାୟତ ଅଧିକାରୀ କୌଣସି ଉତ୍ତର ନଦେଇ ପାରିବାରୁ ଉପସ୍ଥିତ ଶତାଧିକ ପୁରଷ ମହିଳା ପଞ୍ଚାୟତ ଅଧିକାରୀଙ୍କୁ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଅଟକ ରଖିଥିଲେ। ଖବର ପାଇ ସରପଞ୍ଚ ସେଠାରେ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।