ମାଓ ମୁକାବିଲା ବୈଠକ : ନବୀନଙ୍କ ୫ ସୂତ୍ରୀ ପ୍ରସ୍ତାବ

ନୂଆଦିଲ୍ଲୀ : ମାଓ ମୁକାବିଲା ନେଇ ଦିଲ୍ଲୀରେ ରବିବାର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗ ହୋଇଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସଡ଼କପଥ, ରେଳପଥ, ଟେଲିକମ, ମୋବାଇଲ ନେଟୱାର୍କ ଓ ବ୍ୟାଙ୍କିଙ୍ଗ୍‌ ସୁବିଧାର ବିକାଶ ପାଇଁ ୫ଟି ପ୍ରସ୍ତାବ ରଖିବା ସହିତ ଏହା ଉପରେ ବିଚାର କରି ପଦକ୍ଷେପ ନେବାପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।

ଏହି ୫ଟି ପ୍ରସ୍ତାବ ମଧ୍ୟରେ ରହିଛି ମାଲକାନଗିରି ଦେଇ ଜୟପୁରରୁ ମୋଟୁ ପର୍ଯ୍ୟନ୍ତ ଏନ୍‌ଏଚ୍‌-୩୨୬କୁ ଚାରି ଲେନ ବିଶିଷ୍ଟ କରିବା। ଏହା ପୂର୍ବ ଭାରତ, ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟରୁ ଦକ୍ଷିଣକୁ ବିଶେଷ କରି ବେଙ୍ଗାଲୁରୁ ଓ ହାଇଦ୍ରାବାଦକୁ ଯୋଡ଼ିବ। ଏହାଦ୍ୱାରା ଯାତ୍ରା ସମୟ ହ୍ରାସ ଓ ଅଞ୍ଚଳର ଅର୍ଥନୈତିକ ବିକାଶ ଦିଗରେ ସହାୟକ ହେବ।

ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରେଳ ଭିତ୍ତିଭୂମି ସ୍ଥାପନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। କହିଥିଲେ ରେଳ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଜୟପୁରରୁ ନବରଙ୍ଗପୁର ଏବଂ ଜୟପୁରରୁ ମାଲକାନଗିରି ମଧ୍ୟରେ ରେଳପଥ ନିର୍ମାଣ ଚାଲିଛି। ପ୍ରକଳ୍ପରେ ସ୍ଥାନିତ ହୋଇ ନ ଥିବା ୧୫୩ କିମି ଦୀର୍ଘ ମାଲକାନଗିରିରୁ ଭଦ୍ରାଚାଲମ୍ ଏବଂ ୧୧୮ କିଲୋମିଟର ଦୀର୍ଘ ନବରଙ୍ଗପୁରରୁ ଜୁନାଗଡ଼ ମଧ୍ୟରେ ରେଳପଥ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଏସବୁ ସ୍ଥାନରେ ରେଳର ବିକାଶ ହେଲେ ଅର୍ଥନୈତିକ ବିକାଶ ସମ୍ଭବପର ହୋଇପାରିବ ବୋଲି ଯୁକ୍ତି ବାଢ଼ିଥିଲେ।

ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଦୁର୍ଗମ ଅଞ୍ଚଳଗୁଡ଼ିକ ପାଇଁ ମୋବାଇଲ ସଂଯୋଗକୁ ପରିବ୍ୟାପ୍ତ କରିବାର ଆବଶ୍ୟକତା ରହିଛି। ରାଜ୍ୟର ୬୨୭୮ ଗ୍ରାମରେ ମୋବାଇଲ ସଂଯୋଗର ବ୍ୟବସ୍ଥା ନାହିଁ। ରାଜ୍ୟ ପାଇଁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରାଳୟ ୪୪୮ଟି ମୋବାଇଲ ଟାୱାର ମଞ୍ଜୁର କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ। ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଲାଗି ଆବଶ୍ୟକ ଦୁଇ ହଜାରରୁ ଅଧିକ ମୋବାଇଲ ଟାୱାର ପ୍ରତିଷ୍ଠା ଉପରେ ମୁଖ୍ୟମନ୍ତ୍ରୀ ଜୋର୍‌ ଦେଇଥିଲେ। ରାଜ୍ୟର ଦୁର୍ଗମ ଅଞ୍ଚଳର ଲୋକମାନେ ବ୍ୟାଙ୍କିଙ୍ଗ୍‌, ଶିକ୍ଷା ଓ ସରକାରୀ ସେବା ପାଇବା ଲାଗି ମୋବାଇଲ ସଂଯୋଗ ଓ ମୋବାଇଲ ଇଣ୍ଟରନେଟ୍‌ ଉପରେ ନିର୍ଭର କରିଥା’ନ୍ତି। ସମସ୍ତ ସ୍ଥାନରେ ୪-ଜି ମୋବାଇଲ ଟାୱାର ପ୍ରତିଷ୍ଠା କରିବା ଆଜି ସମୟର ଆବଶ୍ୟକତା ରହିଛି। ତେଣୁ ପୂର୍ବରୁ ପ୍ରତିଷ୍ଠା କରାଯାଇଥିବା ୨-ଜି ଟାୱାରଗୁଡ଼ିକର ଅପ୍‌ଗ୍ରେଡେସନ୍‌ କରାଯିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ମାଓବାଦୀ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ୍ ସୁବିଧା ସୃଷ୍ଟି କରିବାରେ ସରକାର ସଫଳ ହୋଇନଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ବ୍ୟାଙ୍କ ଶାଖା ପ୍ରତିଷ୍ଠାର ଆବଶ୍ୟକତା ରହିଥିବାରୁ ଏଥିପାଇଁ ରାଜ୍ୟ ସରକାର ବିନା ମୁଲ୍ୟରେ ଜମି ଓ ଘର ଏବଂ ଅନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇଦେବେ। ବ୍ୟାଙ୍କ ପ୍ରତିଷ୍ଠା ପାଇଁ ତ୍ବରିତ ପଦକ୍ଷେପ ନେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଦେଶର ଏହି ମାଓ ପ୍ରଭାବିତ ଅଞ୍ଚଳରୁ କେତେ ଜଣ ପିଲା ନିଟ୍‌, ଆଇଆଇଟି ଓ ଜେଇଇ ଆଦି ଜାତୀୟ ସ୍ତରର ପରୀକ୍ଷାରେ ସଫଳ ହୋଇଛନ୍ତି, ସେ ନେଇ କେନ୍ଦ୍ର ସରକାର ଅଧ୍ୟୟନ କରିବା ଉଚିତ। ଯଦି ଆମର ବ୍ୟବସ୍ଥା କ୍ରମାଗତ ଭାବେ ଏସବୁ ଅଞ୍ଚଳଗୁଡ଼ିକୁ ଉପେକ୍ଷା କରେ, ତାହା ହେଲେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ଲୋକମାନଙ୍କର ହିତ ସାଧନ ହୋଇପାରିବ ନାହିଁ। ବାମପନ୍ଥୀ ଉଗ୍ରବାଦ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କର ସକ୍ରିୟ ସୁରକ୍ଷା ରଣନୀତି ସହିତ ଆଦିବାସୀ ଇଲାକାଗୁଡ଼ିକର ନିରନ୍ତର ଓ ସାମଗ୍ରିକ ବିକାଶ ପାଇଁ ପ୍ରତିବଦ୍ଧତା ଜାରି ରହିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଓ ମୁକାବିଲାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଏବେ ରାଜ୍ୟର ମାତ୍ର ତିନିଟି ଜିଲ୍ଲାରେ ମାଓ କାର୍ଯ୍ୟକଳାପ ସୀମିତ ରହିଛି। ଆଦିବାସୀ ଅଞ୍ଚଳରେ ଅର୍ଥନୈତିକ ବିକାଶ ପାଇଁ ତାଙ୍କ ସରକାର ସଂକଳ୍ପବଦ୍ଧ। ଏହା ହୋଇପାରିଲେ ମାଓବାଦୀ ମୂଳପୋଛ ‌ହୋଇଯିବେ।

Leave a Reply

Your email address will not be published. Required fields are marked *

Back to top button