୮ରେ ଲଘୁଚାପ ୯ରେ ବାତ୍ୟାର ରୂପ ନେବ

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା କାଲି ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖକୁ ଲଘୁଚାପ ଅବପାତର ରୂପ ନେବା ପରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଆଜି ଅପରାହ୍ଣରେ ଏହି ସତର୍କ ସୂଚନା ଜାରି କରାଯାଇଛି।
ରବିବାର ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ। ଏହି ଘୂର୍ଣ୍ଣିବଳୟ ଉପରେ ନିନଜର ରଖାଯାଇଛି। ଏହାର ପ୍ରଭାବରେ ୬ରୁ ୧୨ ତାରିଖ ମଧ୍ୟରେ ଅଧିକାଂଶ ସ୍ଥାନରେ ମଧ୍ୟମରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୦ ଓ ୧୧ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ୮, ୯ ଓ ୧୨ ତାରିଖରେ ବିକ୍ଷିପ୍ତ ଅଞ୍ଚଳରେ ପ୍ରବଳ ବର୍ଷିବ।
ସେହିପରି ୭ ଓ ୮ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଧୀରେ ଧୀରେ ପବନର ବେଗ ବଢିବ। ୧୦ ଓ ୧୧ ତାରିଖରେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗରରେ ପବନର ବେଗ ୬୦ରୁ ୭୦ କିଲୋମିଟରକୁ ବୃଦ୍ଧି ପାଇବ ବୋଲି ପୂର୍ବନୁମାନ କରାଯାଇଛି। ସେଥିପାଇଁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣପୂର୍ବ ବଙ୍ଗୋପସାଗରକୁ ଯିବାପାଇଁ ବାରଣ କରାଯାଇଛି। ଯେଉଁ ସମୁଦ୍ର ଅଞ୍ଚଳରେ ଅଛନ୍ତି ସେମାନଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।