ଭୋଟର ତାଲିକା ଅପଡେଟ୍ କରିବାକୁ ୫ଟି ରାଜ୍ୟକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତର ନିର୍ବାଚନ କମିଶନ ୫ଟି ରାଜ୍ୟ ଯଥା ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ରାଜସ୍ଥାନ ଓ ମିଜୋରାମର ଭୋଟର ତାଲିକା ଅପଡେଟ୍ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଖବର ଅନୁଯାୟୀ ଚଳିତବର୍ଷ ଶେଷ ଆଡ଼କୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ମେ’ ୨୪ ତାରିଖରେ ସଂପୃକ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚିଠି ଲେଖି ଅବଗତ କରିଛନ୍ତି। ଚିଠିରେ କୁହାଯାଇଛି ଜନପ୍ରତିନିଧି ଆଇନର ବ୍ୟବସ୍ଥାର ଅନୁସାରେ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗ୍ୟତା ତାରିଖ ଅନୁଯାୟୀ ଭୋଟର ତାଲିକା ସଂଶୋଧନ କରାଯିବା ଉଚିତ। ତଦନୁଯାୟୀ ୨୦୨୩ ଅକ୍ଟୋବର ୧ ତାରିଖ କିମ୍ବା ତା’ପୂର୍ବରୁ ୧୮ ବର୍ଷ ବୟସରେ ପହଞ୍ଚିଥିବା ସମସ୍ତ ଯୋଗ୍ୟ ନାଗରିକଙ୍କ ପଞ୍ଜିକରଣକୁ ଅଧିକରୁ ଅଧିକ କରିବା ଆବଶ୍ୟକ। ଭୋଟର ତାଲିକାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ କମିଶନ ସଂପୃକ୍ତ ରାଜ୍ୟମାନଙ୍କରେ ଅକ୍ଟୋବର ୧ ତାରିଖ ସୁଦ୍ଧା ଫଟୋ ଭୋଟର ତାଲିକାର ଦ୍ୱିତୀୟ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଥିବା ଉହାଯାଇଛି।
ସୂଚନାଯୋଗ୍ୟ ନିକଟରେ ୧୮ ବର୍ଷ ବୟସରେ ପହଞ୍ଚିଥିବା ଲୋକଙ୍କ ପାଇଁ ଜାନୁଆରି ପହିଲା ଏକମାତ୍ର ଯୋଗ୍ୟତା ଦିବସ ଥିଲା। କିନ୍ତୁ ନିର୍ବାଚନ ଆଇନରେ ପରିବର୍ତ୍ତନ ପରେ ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ରେ ଏବେ ୪ଟି କଟ୍ ଅଫ୍ ତାରିଖ ରହିଛି।



























