ଜୁନ୍‌ରେ କଂଗ୍ରେସର ବିଶାଳ ସମାବେଶ

ଭୁବନେଶ୍ଵର : ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଧାନୀ ଭୁବନେଶ୍ଵରରେ ଏକ ବିଶାଳ ସମାବେଶ ହେବ। ଏଥିପାଇଁ ତାରିଖ ଧାର୍ଯ୍ୟ ହୋଇନଥିଲେ ହେଁ ପ୍ରସ୍ତୁତି ଚାଲିଛି। ସମ୍ଭବତଃ ଜୁନ୍‌ ମଧ୍ୟଭାଗରେ ସମାବେଶ ହେବ ବୋଲି ସୂଚନା ମିଳିଛି। ଏହା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତାକୁ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ପୁନର୍ବାର କ୍ଷମତାକୁ ଫେରିବା ଲାଗି ପ୍ରୟାସ କରିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପିସିସି କାର୍ଯ୍ୟକାରୀ ସଭାପତି ପଦ ହଟାଇବା ମୋର ନୁହେଁ, ଏହା ଏଆଇସିସି ନିଷ୍ପତ୍ତି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ଖବର ଅନୁଯାୟୀ ଇତିମଧ୍ୟରେ ରାଜ୍ୟ କଂଗ୍ରେସ କମିଟି ପୁନର୍ଗଠିତ ହୋଇଛି। କିନ୍ତୁ ପୂର୍ବପରି ପିସିସିରେ କାର୍ଯ୍ୟକାରୀ ସଭାପତି ପଦ ନାହିଁ। ଏହି ପଦବିରେ ଥିବା ବିଶ୍ଵାଳ ଭ୍ରାତାଦ୍ୱୟ ଚିରଞ୍ଜୀବ ଓ ରଞ୍ଜୀବ ବାଦ ପଡିଛନ୍ତି। ଯାହାକୁ ନେଇ ଦଳରେ ଚର୍ଚ୍ଚା ଜାରି ରହିଛି। ହେଲେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଏଥିରେ ପିସିସି କିମ୍ବା ମୋର କୌଣସି ଭୂମିକା ନାହିଁ। ଏଆଇସିସି ଏହି ନିଷ୍ପତ୍ତି ନେଇଛି।

ସେହିପରି ନୂତନ କମିଟିକୁ ନେଇ ବିଧାୟକ ତାରା ପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିବା ସହିତ ଇସ୍ତଫା ଦେଇଦେବି ବୋଲି କହିଛନ୍ତି। ବିଧାୟକ ସୁରେଶ ରାଉତରାୟ କହିଛନ୍ତି କମିଟିରେ ବହୁ ଅନୁପଯୁକ୍ତ ଅଛନ୍ତି। ଏ ବିଷୟରେ ସଭାପତିଙ୍କୁ ଅବଗତ କରିବା ସଙ୍ଗେ ସଙ୍ଗେ ବାଦ୍ ପଡ଼ିଥିବା କିଛି ନାଁକୁ ସାମିଲ କରିବାକୁ କହିଛି। ତେଣୁ ଯେଉଁମାନେ ଅସନ୍ତୁଷ୍ଟ ସେମାନେ ସଭାପତିଙ୍କୁ ଜଣାନ୍ତୁ। ଦଳ ବିରୋଧୀ ହୋଇ ନିର୍ବାଚନ ବର୍ଷରେ ଦଳର କ୍ଷତି କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ଏହା ମତଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଏହା କଂଗ୍ରେସ ପରିବାରର କଥା। ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କ ସହ ଆଲୋଚନା କରାଯିବ। ସମସ୍ତଙ୍କୁ ନେଇ ବିଜେଡି ଓ ବିଜେପି ସରକାର ବିରୋଧରେ ଲଢ଼େଇ କରାଯିବ।

Leave a Reply

Your email address will not be published. Required fields are marked *

Back to top button