ଆକାଉଣ୍ଟାଣ୍ଟ ହେବାପରେ ଛାଡ଼ପତ୍ର ଦାବି କରୁଛି ପତ୍ନୀ

ନୂଆଦିଲ୍ଲୀ : ଗତ କିଛିଦିନ ହେଲା ପ୍ରେମକ ପାଇଁ ଦେଶ ଛାଡୁଥିବା ମହିଳା ଓ ଯୁବତୀ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି। କିନ୍ତୁ ମହିଳାଙ୍କ ସ୍ଵାମୀ ହୋଇଛନ୍ତି ନିରାଶ। ପତ୍ନୀ ବିଦେଶ ଯିବା ପୂର୍ବରୁ ମାନସିକଭାବେ ସମ୍ପର୍କ ତୁଟାଇ ସାରିଥିବାରୁ ସ୍ଵାମୀ ଫେରିଆସିବାକୁ କହିଥିଲେ ମଧ୍ୟ ସେମାନେ ଗ୍ରହଣ କରିନାହାନ୍ତି। ଏବେ ଯାହାଙ୍କ କଥା କୁହାଯାଉଛି ସେ ଜଣେ ବିବାହିତ ମହିଳା। ହେଲେ ଆକାଉଣ୍ଟାଣ୍ଟ ହେବାପରେ ଛାଡ଼ପତ୍ର ପାଇଁ ଦାବି କରୁଥିବା ମହିଳାଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି।
ଖବର ଅନୁଯାୟୀ ଘଟଣାଟି ଉତ୍ତରପ୍ରଦେଶର। ବାରାବଙ୍କିର ସତରିଖ ଥାନା ଅଞ୍ଚଳର ଗଲାହାମଉ ଗ୍ରାମରେ ଅମରିଶ କୁମାରଙ୍କ ଘର। ୨୦୦୯ ଫେବ୍ରୁଆରି ୨୦ ତାରିଖରେ ସେ ଜୈଦପୁର ଥାନା ଅଧୀନ ଯାକୁତଗଞ୍ଜ ଗ୍ରାମର ଦୀପିକାଙ୍କୁ ବିବାହ କରିଥିଲେ। ବିବାହ ପରେ ଦୀପିକା ଶାଶୁଘରେ ଗ୍ରାଜୁଏସନ ପୂରା କରିଥିଲେ।
ଦୀପିକାଙ୍କ ସ୍ଵାମୀ କହନ୍ତି ପାଠପଢ଼ା ପ୍ରତି ଦୁର୍ବଳତା ଥିବା ଦେଖି ମୁଁ ସ୍ତ୍ରୀକୁ ଏମଏ ଓ ତା’ପରେ ବିଇଡି ପଢ଼ାଇଥିଲି। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କୋଚିଂ ଦେଇଥିଲି। ପରିବାରର ଚାପ ଯେପରି ତାଙ୍କ ଉପରେ ନପଡିବ ସେଥିପାଇଁ ପାଠପଢ଼ୁଥିବା ବେଳେ ମୁଁ ପରିବାର ସମ୍ଭାଳୁଥିଲି। କିନ୍ତୁ ସ୍ତ୍ରୀ ଆକାଉଣ୍ଟାଣ୍ଟ ଚାକିରି ପାଇବାର କିଛିଦିନ ପରେ ପୁଅକୁ ଧରି ବାପ ଘରକୁ ଚାଲି ଯାଇଥିଲେ। ସେହିଦିନଠାରୁ କୌଣସି ଯୋଗଯୋଗ ନରଖି ମୋ’ ଠାରୁ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି।
ସେହିପରି ଦୀପିକା କହିଛନ୍ତି ଶାଶୁଘରେ ମୋତେ ନିର୍ଯାତନା ଦିଆଯାଇଥିଲା। ମୁଁ ଘର ପାଖରେ ଥିବା ଏକ ଘରୋଇ ସ୍କୁଲରେ ପାଠପଢ଼ାଇ ଯେତିକି ରୋଜଗାର କରେ ତାହାକୁ ସଞ୍ଚୟ କରି ରଖିଥାଏ। ସେଥିରେ ମୋର କୋଚିଂ ଖର୍ଚ୍ଚ ଉଠିଯାଏ। ଏବେ ଚାକିରି ପାଇଯିବା ପରେ ମୁଁ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛି। ସେଭଳି ଲୋକଙ୍କ ସହିତ ଆଉ ରହିପାରିବି ନାହିଁ।