ଜେଇ ସିଭିଲ ମେନ୍‌ ପରୀକ୍ଷା ରଦ୍ଦ କଲା ଓଏସ୍‌ଏସ୍‌ସି

ଭୁବନେଶ୍ଵର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଜେଇ ସିଭିଲ ମେନ୍ ପରୀକ୍ଷାକୁ ରଦ୍ଦ କରିଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଥିବା ଓଏସଏସସି ଚେୟାରମ୍ୟାନ ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପରୀକ୍ଷା ପୁଣି ଥରେ ହେବ।

ଖବର ଅନୁଯାୟୀ ବାଲେଶ୍ୱର ଏସପି ସାଗରିକା ନାଥ ଆଜି ସୂଚନା ଦେଇଛନ୍ତି ଗତ ୧୬ ତାରିଖରେ ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରୁ ଗିରଫ ୯ ଜଣ ଯୁବକ ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କରିଥିବା ସ୍ୱୀକାର କରିଛନ୍ତି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ବେଳେ ଜଣାପଡିଛି ସେମାନେ ପ୍ରଶ୍ନପତ୍ର ପିଛା ପିଲାଙ୍କ ଠାରୁ ୮ରୁ ୧୦ ଲକ୍ଷ ନେଉଥିଲେ। ସେମାନେ ଓଡ଼ିଶା ସହିତ ବିହାର, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ଏହି ରାକେଟ୍ ଚଳାଇଥିଲେ। ଗିରଫ ଦଲାଲମାନଙ୍କ ମଧ୍ୟରେ ଖୋର୍ଦ୍ଧା ଅଞ୍ଚଳର ବିଶ୍ଵରଞ୍ଜନ ମହାପାତ୍ର, ବିଶାଖାପାଟଣାର ମହମ୍ମଦ.କେ.ସିଦ୍ଦିକ୍‌, ଭୁବନେଶ୍ଵର ସହର ଉପକଣ୍ଠ ଯଦୁପୁରର ସାଇନା ପରବିନ୍‌, ମୁସ୍ତାକ୍‌ ଅଲ୍ଲୀ ଖାନ୍‌ ଓ ଏମ୍‌ଡି କମରୁଦ୍ଦିନ୍‌, ବିହାରର ଅଜୟ କୁମାର, ରାଜକୁମାର, ଦୀପକ କୁମାର ଓ ଭୁବନେଶ୍ଵରର ବିଜେନ୍ଦ୍ର କୁମାର। ମୁଖ୍ୟ ଅଭିଯୁକ୍ତ ବିଶ୍ଵରଞ୍ଜନ ନାଁରେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ, ନିରାକାରପୁର ଓ ଗଞ୍ଜାମର ଆସ୍କା ଥାନାରେ ଅପରାଧିକ ମାମଲା ରହିଛି ବୋଲି ଏସ୍‌ପି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button